କରୋନା କଟକଣା ପାଇଁ ହଠାତ୍ ବନ୍ଦ ହୋଇଗଲା ଦେଶ । ବିଭିନ୍ନ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କ ଘଟିଲା ମୃତ୍ୟୁ । ହେଲେ କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ତଥ୍ୟ, ସଂସଦରେ ଲିଖିତ ଉତରରେ ତଥ୍ୟ ଦେଲେ ମନ୍ତ୍ରୀ

353

କନକ ବ୍ୟୁରୋ : ଦେଶରେ ହଠାତ ଲାଗୁ ହୋଇଥିବା ଲକଡାଉନ ଫଳରେ କେତେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି, ସେନେଇ କୈାଣସି ତଥ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ନାହିଁ । କେନ୍ଦ୍ରଶ୍ରମ ମନ୍ତ୍ରୀଙ୍କୁ ସାତ ସାଂସଦ ମିଶି କରି ପ୍ରଶ୍ନ କରିଥିଲେ, ଲକଡାଉନର ଅବଧିରେ କଣ ହଜାର ହଜାର ଶ୍ରମିକ ଜୀବନ ହରାଇଛନ୍ତି । ଜବାବରେ ବିଭାଗୀୟ ମନ୍ତ୍ରୀ କହିଥିଲେ, ଏଭଳି କୈଣସି ତଥ୍ୟ ବିଭାଗ ନିକଟରେ ଉପଲବ୍ଧ ନାହିଁ । କୈାଣସି କ୍ଷତିପୂରଣ ବା ସହାୟତା ପ୍ରଭାବିତ ଲୋକଙ୍କ ପରିବାରକୁ ଦିଆଯାଇଛି କି, ପ୍ରଶ୍ନର ଜବାବରେ କୁହାଯାଇଛଥିଲା, ପୂର୍ବପ୍ରଶ୍ନର ସ୍ଥିତିକୁ ଲକ୍ଷ୍ୟ କରି ଏହାର ଆବଶ୍ୟକତା ପଡିନାହିଁ ।

ଅର୍ଥାତ୍ ଯେହେତୁ ବିଭାଗ ପାଖରେ ଶ୍ରମିକଙ୍କ ମୃତ୍ୟୁ ନେଇ କୈାଣସି ତଥ୍ୟ ନାହିଁ, ତାହେଲେ ସହାୟତା କାହାକୁ ମିଳିବ? ସେହିଭଳି ଲକଡାଉନ ଅବଧିରେ କେତେ ଲୋକଙ୍କ ଚାକିରୀ ଯାଇଛି, ସେନେଇ ମଧ୍ୟ କୈାଣସି ତଥ୍ୟ ନାହିଁ । କରୋନା ସ୍ଥିତିର ମୁକାବିଲା ପାଇଁ ମାର୍ଚ୍ଚ ୨୫ରେ ସାରା ଦେଶରେ ଲକଡାଉନ ଫଳରେ ସମସ୍ତ ଶିଳ୍ପାନୁଷ୍ଠାନ, କଳକାରଖାନା ବନ୍ଦ ହୋଇଯାଇଥିଲା । କାମଧନ୍ଦା ହରେଇ ଅଜଣା ଆତଙ୍କ ଭିତରେ ଥିବା ପ୍ରବାସୀ ଶ୍ରମିକ ନିଜ ଭିଟାମାଟିକୁ ଫେରିବାକୁ ବାହାରିଥିଲେ ।

ହେଲେ ବସ ଟ୍ରେନ୍ ଓ ବିମାନ ସେବା ବନ୍ଦ କାରଣରୁ ହଜାର ହଜାର କିମି ଚାଲିଥିଲେ ପ୍ରବବାସୀ ଶ୍ରମିକ । ଯାହାଫଳରେ ଅନେକ ଶ୍ରମିକଙ୍କ ରାସ୍ତାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ଅନେକ ଶ୍ରମିକ ସେମାନଙ୍କ ଚାକିରୀ ହରାଇ ବସିଥିଲେ । ୭ ଜଣ ସାଂସଦ ଏହି ପ୍ରଶ୍ନ ପଚାରିଥିବା ବେଳେ ତାଲିକାରେ ଥିଲେ ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ । ଉତର ରଖିଥିଲେ ବିଭାଗୀୟ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ।