ଦେଶରେ ତୀବ୍ର ହେଉଛି କୋଇଲା ସଂକଟ: ବଳକା ବିଦ୍ୟୁତ୍ ଚଢା ଦରରେ ନବିକିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

151

କନକ ବ୍ୟୁରୋ: କୋଇଲା ଷ୍ଟକ୍ରେ ଅଭାବ ଥିବାରୁ ଦେଶରେ ବିଦ୍ୟୁତ ସଂକଟ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏକାଧ୍ଚଳ ରାଜ୍ୟ କୋଇଲା ଅଭାବ ନେଇ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି । ତେବେ କୋଇଲା ଅଭାବକୁ ଦୂର କରିବା ପାଇଁ ପିଏମଓ ପକ୍ଷରୁ ସ୍ଥିତିର ଯାଂଚ କରାଯାଇଛି । ସେହିପରି ବିଦ୍ୟୁତ ସଂକଟ ଏଡାଇବା ପାଇଁ ରାଜ୍ୟଗୁଡିକୁ ଚଢା ଦରରେ ବିଜୁଳି ନବିକିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦେଶରେ କୋଇଲା ଓ ବିଦ୍ୟୁତ ସଙ୍କଟ ନେଇ ଆକ୍ସନ ମୋଡ୍ରେ ପିଏମ୍ଓ । କୋଇଲା ଯୋଗାଣ ଓ ବିଦ୍ୟୁତ ଉତ୍ପାଦନ ସ୍ଥିତି ନେଇ ପିଏମ୍ଓ ଦ୍ୱାରା ଏକ ବୈଠକ କରାଯାଇଛି । ବୈଠକରେ ଶକ୍ତି ସଚିବ ଆଲୋକ କୁମାର ଓ କୋଇଲା ବିଭାର ସଚିବ ଏ କେ ଜୈନ୍ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଛନ୍ତି । ପାୱାର ପ୍ଲାଂଟ ଗୁଡିକୁ କୋଇଲା ଯୋଗାଣ ବୃଦ୍ଧି ବାବଦରେ ଅଧିକ ଆଲୋଚନା ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ କୋଇଲା ଯୋଗାଣ ତୁରନ୍ତ ବୃଦ୍ଧି କରିବାକୁ ଉଭୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ପାୱାର ପ୍ଲାଂଟରେ ବ୍ୟବହାର ହେଉଥିବା କୋଇଲାରେ ଆମଦାନୀ ହୋଇ ଆସିଥିବା ୧୦ ପ୍ରତିଶତ କୋଇଲା ମିଶାଇବାକୁ କଂପାନୀଗୁଡ଼ିକୁ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହାସହ ଦୈନିକ କୋଇଲା ଉତ୍ପାଦନ ୧.୯୪ ମିଲିଅନ୍ ଟନ୍ରୁ ୨ ମିଲିଅନ୍ ଟନ୍ କରିବାକୁ ନିଷ୍ପତି ହୋଇଛି । ଆସନ୍ତା ୫ ଦିନ ମଧ୍ୟରେ ସ୍ଥିତିର ସମାଧାନ ପାଇଁ ପ୍ରୟାସ ଚାଲିଥିବା କହିଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।

ସେପଟେ ସାରା ଦେଶରେ ବିଦ୍ୟୁତ ଚାହିଦା ବୃଦ୍ଧି ଯୋଗୁ ବିଦ୍ୟୁତ ଦର ମହଙ୍ଗା ହେବାରେ ଲାଗିଛି । ବର୍ତମାନ ବିଦ୍ୟୁତ ଆବଶ୍ୟକତାକୁ ନେଇ ଖୋଲା ବଜାରରୁ ବିଦ୍ୟୁତ କିଣା ଯାଉଛି । ବିଦ୍ୟୁତ୍ ଯୋଗାଉଥିବା ତାପଜ ବିଦ୍ୟୁତ୍ କମ୍ପାନୀ ପାଖରେ ଆବଶ୍ୟକ କୋଇଲା ନାହିଁ । ଫଳରେ ଆଗକୁ ସାରା ଦେଶରେ ବିଦ୍ୟୁତ ସମସ୍ୟା ଉକ୍ରଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

କୋଇଲା ଓ ବିଦ୍ୟୁତ ସଂକଟର ଦୀର୍ଘସ୍ଥାୟୀ ସମାଧାନ ଲାଗି ଖୁବ୍ ଶୀଘ୍ର କିଛି ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପିଏମଓ ପକ୍ଷରୁ ସୂଚନା ମିଳିଛି । ଦେଶରେ ମୋଟ୍ ବିଦ୍ୟୁତ ଯୋଗାଣ ଚାହିଦାର ୭୦ ପ୍ରତିଶତ କୋଇଲା ଭିତିକ ପ୍ଲାଂଟ ଦ୍ୱାରା ପୂରଣ ହେଉଥିବାରୁ ଆବଶ୍ୟକ ମାତ୍ରାରେ କଂଚାମାଲ ଯୋଗାଣ ଉପରେ ଫୋକସ୍ ଦିଆଯାଇଛି । ବିଦ୍ୟୁତ ସଙ୍କଟ ଏଡାଇବା ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ବିଦ୍ୟୁତ ବଳକା ରାଜ୍ୟଗୁଡିକୁ ଚଢା ଦରରେ ନବିକିବାକୁ ନିର୍ଦ୍ଦେଶ ଦିଆଯାଇଛି ।