ଦେଶ ପାଳିଲା ୭୩ ତମ ସାଧାରଣତନ୍ତ୍ର ଦିବସ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମିଳିତ ପରେଡରେ ଗ୍ରହଣ କଲେ ଅଭିବାଦନ

70

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପାଳିତ ହୋଇଯାଇଛି ୭୩ତମ ଗଣତନ୍ତ୍ର ଦିବସ । ପରମ୍ପରା ଅନୁସାରେ ରାଷ୍ଟ୍ରୀୟ ସଂଗୀତ ପରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି । ଏହାପରେ ୨୧ ତୋପ ସଲାମୀ ଦିଆଯାଇଛି । ଏହି ଅବସରରେ ଜମ୍ମୁକଶ୍ମୀର ପୋଲିସ ଏସଆଇ ବାବୁ ରାମଙ୍କୁ ମରଣୋତ୍ତର ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ଏହାପରେ ରାଜପଥରେ ଦେଖିବାକୁ ମିଳିଥିଲା ସମ୍ମିଳିତ ପରେଡ୍ । ତିନି ସେନା ସମେତ ଅର୍ଦ୍ଧସାମରିକ ବଳର ସ୍ୱତନ୍ତ୍ର ଟ୍ରୁଫ୍ ମିଳିତ ପରେଡ୍ରେ ଅଂଶଗ୍ରହଣ କରିଥିଲେ ।

ସେପଟେ ସାଧାରଣତନ୍ତ୍ର ଦିବସର ପରେଡ୍ ସମାରୋହ ପ୍ରଧାନମନ୍ତ୍ରୀଙ୍କ ନ୍ୟାସନାଲ ୱାର ମେମୋରିଆଲ ଗସ୍ତରୁ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ୱାର ମେମୋରିଆଲରେ ପହଞ୍ଚି ଅମର ଯବାନ ଜ୍ୟୋତିରେ ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ରାଜପଥ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଚଳିତବର୍ଷ କୋଭିଡ୍ କଟକଣା ଯୋଗୁ ପରେଡକୁ ସୀମିତ ରଖାଯାଇଥିଲା । ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ରାଜପଥରେ ପ୍ରଦର୍ଶିତ ହୋଇଛି । ଉତ୍ତରପ୍ରଦେଶ, ହରିଆଣା, ପଞ୍ଜାବ, ଗୋଆ, ଗୁଜୁରାଟ, କର୍ଣ୍ଣାଟକ, ମେଘାଳୟ, ଅରୁଣାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀରର ଆକର୍ଷଣୀୟ ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିଛି । ସେହିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଏକ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିଛି । ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପାଳନ ହେଉଥିବାରୁ ଏଥର ଗଣତନ୍ତ୍ର ଦିବସର ଥିମ୍ ରହିଛି ୭୫ ବର୍ଷରେ ଭାରତ ।

ଗଣତନ୍ତ୍ର ଦିବସରେ ରାଜପଥରେ ଦେଖିବାକୁ ମିଳିଛି ନାରୀ ଶକ୍ତିର ଝଲକ । ରାଫେଲର ଏକମାତ୍ର ମହିଳା ଫାଇଟର ଶିବାଙ୍ଗୀ ସିଂହ ନିଜର ଦମ୍ ଦେଖାଇଛନ୍ତି । ରାଜପଥରେ ରାଷ୍ଟ୍ରପତିଙ୍କୁ ସଲାମୀ ଜଣାଇଥିଲେ ଶିବାଙ୍ଗୀ ସିଂହ । ବିଏସଏଫର ମହିଳା ବାଇକ୍ ଚାଳକ ବିଭାଗ ସୀମା ଭବାନୀ ୨୦୧୮ ପରେ ଦ୍ୱିତୀୟ ଥର ନିଜ ପରାକ୍ରମ ଦେଖାଇଛନ୍ତି । ବେଟି ବଚାଓ ବେଟି ପଢାଓ ନାରା ସହ ମୋଟରସାଇକେଲରେ କୌଶଳ ଦେଖାଇଛନ୍ତି ମହିଳା ଯବାନ ।

ସାଧାରଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀ ରାଜପଥରେ ଗଡିଛି ବିଭିନ୍ନ ପ୍ରଜ୍ଞାପନ ମେଢ । ଏହି ଅବସରରେ ବିଶ୍ୱର ସବୁଠୁ ବଡ ଅର୍ଦ୍ଧ ସାମରିକ ବାହିନୀ ସିଆରପିଏଫର ପ୍ରଜ୍ଞାପନ ମେଢ ଗଡିଛି । ସିଆରପିଏଫର ଏହି ମାର୍ଚିଂରେ ମୋଟ୍ ୧୮ ଜଣ ଯବାନ ରହିଥିଲେ । ଯେଉଁଥିରେ ୫ ଜଣ ମହିଳା ଥିଲେ । ଏହି ୫ ମହିଳାଙ୍କ ମଧ୍ୟରୁ ଦୁଇ ଜଣ ଓଡିଆ ରହିଛନ୍ତି । ଏଭଳି ଆକର୍ଷଣୀୟ ପରେଡ୍ ସହ ଶେଷ ହୋଇଛି ଗଣତନ୍ତ୍ର ଦିବସ ପାଳନ ।