ହାଇଦ୍ରାବାଦ ନଗର ନିଗମ ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ : ଓବେସି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ

୧୫୦ଟି ୱାର୍ଡରେ କିଏ ମାରିବ ବାଜି ତା ଉପରେ ନଜର

156

କନକ ବ୍ୟୁରୋ : ଗ୍ରେଟର ହାଇଦ୍ରାବାଦ ନଗର ନିଗମ କିଏ ଜିତିବ । ଏ ନେଇ ଭୋଟଗଣତି କିଛି ସମୟ ପୂର୍ବରୁ ଆରମ୍ଭ ହୋଇଛି । ମୋଟ ୧୫୦ ୱାର୍ଡର ଫଳାଫଳ କିଛି ସମୟ ପରେ ଘୋଷଣା ହେବ । ଏଥର ବିଜେପି ନେତୃତ୍ୱ ଏହି ନିର୍ବାଚନ ପାଇଁ ଆଗ୍ରହ ଦେଖାଇଥିବାରୁ ନିର୍ବାଚନକୁ ବେଶ ଗୁରୁତ୍ୱ ଦିଆଯାଉଛି । ନଗର ନିମର ପ୍ରଚାରରେ ଅମିତ ଶାହ ଓ ଯୋଗୀ ଆଦିତ୍ୟନାଥ ସାମିଲ ହୋଇଥିଲେ । ୨୦୧୬ ନିର୍ବାଚନରେ ୧୫୦ ୱାର୍ଡ ମଧ୍ୟରୁ ତେଲେଙ୍ଗାନାର ଶାସକ ଦଳ ଟିଆରଏସ ୯୯ଟି ୱାର୍ଡ ଜିତିଥିବାବେଳେ ଏଆଇଏମଆଇଏମ ୪୪ଟି ଆସନ ଜିତିଥିଲା । ବିଜେପି ୩ ଓ କଂଗ୍ରେସ ଖାତାକୁ ୨ଟି ୱାର୍ଡ ଯାଇଥିଲା ।

ଏଥର କିନ୍ତୁ ପରିସ୍ଥିତି ଅଲଗା ହୋଇଛି । ଏଥର ବିଜେପି ମୈଦାନକୁ ଆସିଥିବାରୁ ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ଅଛି । ବିଜେପି ୧୪୯ ୱାର୍ଡରେ ନିର୍ବାଚନ ଲଢୁଥିବାବେଳେ ଟିଆରଏସ ସମସ୍ତ ୧୫୦, କଂଗ୍ରେସ ୧୪୬ ଓ ଏଆଇଏମଆଇଏମ ୫୧ୱାର୍ଡରେ ନିର୍ବାଚନ ଲଢୁଛନ୍ତି । ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ୨୪ ବିଧାନସଭା ଓ ୫ ଲୋକସଭା ଆସନ ଆସୁଛି । ନିର୍ବାଚନରେ ବିଜେପିର ପ୍ରଦର୍ଶ ଉପରେ ସମସ୍ତଙ୍କ ନଜର ରହିଛି ।