କନକ ବ୍ୟୁରୋ: ଆସନ୍ତାକାଲି ମହାଲଢ଼େଇ । ୧୪୦ କୋଟି ଭାରତୀୟଙ୍କ ନଜରରେ ରହିଛି ଭାରତ-ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲ୍ ମ୍ୟାଚ୍ । ମୁମ୍ବାଇର ୱାଙ୍ଖଡେରେ ମୁହାଁମୁହିଁ ଦୁଇ ପାୱାର ହାଉସ । ୧୨ ବର୍ଷ ପରେ ପୁଣି ଟାଇଟଲ୍ ଅପେକ୍ଷାରେ ମେନ୍ ଇନ୍ ବ୍ଲୁ । ମ୍ୟାଚ୍କୁ ନେଇ ଆରମ୍ଭ ହୋଇଗଲାଣି କାଉଂଟଡାଉନ୍ । କ୍ରୀଡ଼ାପ୍ରେମୀ ଅନେକ ଉତ୍ସାହ ଓ ଉକ୍ରଣ୍ଠା ସହ ଏହି ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି । ରାଉଣ୍ଡ ରବିନ୍ରେ ଲଗାତର ୯ଟି ମ୍ୟାଚ୍ ଜିତି ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଧାରା ବଜାୟ ରଖି ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ସେପଟେ ପୁଣିଥରେ ଭାରତକୁ ସେମିଫାଇନାଲ୍ରେ ହରାଇ କ୍ରମାଗତ ତୃତୀୟଥର ବିଶ୍ୱକପ୍ ଫାଇନାଲ୍ ପାଇଁ ଅଂଟା ଭିଡ଼ି କିୱି ଟିମ୍ । ୨୦୧୯ରେ ମାଂଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ମହେନ୍ଦ୍ର ସିଂ ଧୋନୀଙ୍କ ସେହି ରନ୍ ଆଉଟ୍ ଭାରତର ସବୁ ଆଶା ଶେଷ କରିଦେଇଥିଲା । ସେହି ଦୁଃଖଦ ବିଦାୟକୁ ଏବେବି ଭୁଲିପାରିନାହାନ୍ତି ଭାରତୀୟ କ୍ରିକେଟ୍ ପ୍ରେମୀ । କେବଳ ଭାରତୀୟ ନୁହେଁ, ନିଜେ ଧୋନୀ ମଧ୍ୟ ରନ୍ ଆଉଟ୍ ପରେ ନିଜ ଭାବନାକୁ କାବୁ କରିପାରିନଥିଲେ ।

Advertisment

ଏବେ ପୁଣିଥରେ ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି । କିନ୍ତୁ ଏଥର ଅଲଗା ପରିବେଶ, ଦୃଢ଼ ମନୋବଳ ସହ ମଇଦାନକୁ ଓହ୍ଲାଇବ ଭାରତ । କାରଣ ସବୁ ବିଭାଗରେ ଶତପ୍ରତିଶତ ପ୍ରଦର୍ଶନ କରିଛି ଭାରତ । ସବୁଯାକ ମ୍ୟାଚ୍କୁ ଏକତରଫା ଭାବେ ଜିତିଛି ଭାରତ । କିନ୍ତୁ ସେମିଫାଇନାଲ୍ ଚାପକୁ ଭାରତ କିଭଳି ସାମ୍ନା କରୁଛି, ତା’ ଉପରେ ସମସ୍ତଙ୍କ ନଜର । ଚଳିତ ବିଶ୍ୱକପ୍ରେ ଭାରତର ଶ୍ରେଷ୍ଠ ୫ଜଣ ବ୍ୟାଟର୍ ଜବରଦସ୍ତ ଫର୍ମରେ ଅଛନ୍ତି । ଅଧିନାୟକ ରୋହିତ ଶର୍ମା ଭାରତକୁ ପ୍ରତି ମ୍ୟାଚରେ ଭଲ ଷ୍ଟାର୍ଟ ଦେଉଛନ୍ତି । ମିଡଲ୍ ଅର୍ଡରରେ ବିରାଟ୍ କୋହଲି, ଶ୍ରେୟସ ଆୟର ଓ ଲୋକେଶ ରାହୁଲଙ୍କ ବ୍ୟାଟ୍ରୁ ମଧ୍ୟ ଖୁବ୍ ରନ୍ ବର୍ଷୁଛି । ବୋଲିଂ ବିଭାଗରେ ମଧ୍ୟ ଭଲ ସମିଶ୍ରମ ଦେଖିବାକୁ ମିଳିଛି । ମହମ୍ମଦ ଶାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜଙ୍କୁ ନେଇ ଗଠିନ ପେସ୍ ବ୍ୟାଟେରୀ ସହିତ ସ୍ପିନ୍ର ମଧ୍ୟ ବିରୋଧୀ ଦଳକୁ ନାକେଦମ କରିଛନ୍ତି । ସେପଟେ ଟୁର୍ଣ୍ଣାମେଂଟ ଆରମ୍ଭରୁ ଲଗାତର ୪ଟି ମ୍ୟାଚ୍ ଜିତିଥିବା ନ୍ୟୁଜିଲ୍ୟାଣ୍ଡ ପରବର୍ତୀ ୪ଟି ମ୍ୟାଚ୍ ହାରିଯାଇଥିଲା । ତେବେ ଶେଷ ମ୍ୟାଚ୍ରେ ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲ୍ ଟିକେଟ୍ କାଟିଥିଲା ନ୍ୟୁଜିଲ୍ୟାଣ୍ଡ । ସେମିରେ ଦଳର ପ୍ରଦର୍ଶନ କ’ଣ ରହୁଛି, ତାହା ଉପରେ ନଜର ରହିବ ।