ଚିନ୍ତାରେ କପା ଚାଷୀ । ଅମଳ ହୋଇଛି କପା ହେଲେ ବିକ୍ରି ପାଇଁ ଖୋଲୁନି ମଣ୍ଡି

176

କନକ ବ୍ୟୁରୋ : କପା ଚାଷ କରି ଚିନ୍ତାରେ ଚାଷୀ । କପା ଅମଳ ହୋଇଥିବା ବେଳେ ବିକ୍ରି ପାଇଁ ମଣ୍ଡି ଖୋଲି ନଥିବାରୁ ଆଶା ଆଶଙ୍କାରେ ଅଛନ୍ତି କପା ପାଇଁ ପ୍ରସିଦ୍ଧି ଲାଭ କରିଥିବା ରାୟଗଡା ଜିଲ୍ଲା ଗୁଣୁପୁର ଅଂଚଳର ଚାଷୀ । ଖୁବଶୀଘ୍ର ମଣ୍ଡି ନଖୋଲିଲେ ଧାର କରଜ କରି ଚାଷ କରିଥିବା ଚାଷୀ ଖୁ୍ବ୍ କମ ଦରରେ ଅମଳ କପା ବିକିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।

ରାୟଗଡା ଜିଲ୍ଲାର ୨୧ ହଜାର ୬୦୦ ହେକ୍ଟର ଜମିରେ ଧଳା ସୁନା ଚାଷ ହୋଇଛି । ପଦ୍ମପୁର ବ୍ଳକରେ ୨୬୪୦ ହେକ୍ଟର, ଗୁଡାରୀରେ ୩୦୦୦ ହେକ୍ଟର, ରାମନାଗୁଡାରେ ୯ ହଜାର ଓ ଗୁଣପୁର ବ୍ଳକରେ ୬୯୬୦ ହେକ୍ଟର ଜମିରେ କପା ଚାଷ କରିଛନ୍ତି ଚାଷୀ । ଆଉ ଏବେ କପା ଅମଳ ଆରମ୍ଭ ହୋଇଛି । ହେଲେ କପା ମଣ୍ଡି ଖୋଲି ନଥିବାରୁ ଚାଷୀମାନେ ଅମଳ କପାକୁ ଗାଁ ଦାଣ୍ଡରେ ସୁଖାଇ ଘରେ ସାଇତି ରଖୁଛନ୍ତି । ହେଲେ କପାକୁ ବେଶି ଦିନ ଘରେ ସାଇତି ରଖି ହେବ ନାହିଁ । ତେଣୁ ସରକାରୀ ମଣ୍ଡରେ କିଭଳି କପା ବିକ୍ରି ହେବ ତାକୁ ଚାହିଁ ବସିଛନ୍ତି ଚାଷୀ ।

ଚଳିତ ବର୍ଷ କପା କିଣିବା ପାଇଁ ସରକାର ମଣ୍ଡି ଖୋଲିନଥିବାରୁ ଚାଷୀଙ୍କ ଫସଲ ଉପରେ ଅସାଧୁ ବ୍ୟବସାୟୀଙ୍କ ନଜର ପଡିଛି । ସେପଟେ ମଣ୍ଡି ଖୋଲିବା ପ୍ରସଙ୍ଗରେ ନିୟନ୍ତ୍ରୀତ ବଜାର କମିଟିର ଅଧ୍ୟକ୍ଷ ଜେ.ସୋନାଲ କୁମାର କହିଛନ୍ତି ଆସନ୍ତା ୨୭ ତାରିଖରେ କପା ଓ ଧାନ ମଣ୍ଡି ଖୋଲିବା ପାଇଁ ନିଷ୍ପତି ହୋଇଛି ।

କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ ଆଉ କେତେବେଳେ ଅଦିନିଆ ବର୍ଷା କପା ଚାଷୀର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି, ତେଣୁ ଚାଷୀଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବା ନହାତି ଜରୁରୀ ହୋଇ ପଡିଛି ।