ଚିନ୍ତାରେ ପଡିଛନ୍ତି ଗଜପତିର କପା ଚାଷୀ । ପାରଳାଖେମୁଣ୍ଡିରେ ମଣ୍ଡି ଯୋଗୁ ମିଳୁନି ସଠିକ୍ ମୂଲ୍ୟ । କମ୍ ଦରରେ କିଣି ଦଲାଲ ହେଉଛି ମାଲାମାଲ

58

କନକ ବ୍ୟୁରୋ: ଦୀର୍ଘ ଦିନର ଦାବି ପରେ ଗଜପତି ଜିଲାରେ କପା ମଣ୍ଡି ଖୋଲିଛି । ହେଲେ କପା ଉତ୍ପାଦନ ହେଉଥିବା ଅଞ୍ଚଳ ବଦଳରେ ଏହାକୁ ପାରଳାଖେମୁଣ୍ଡିରେ ଖୋଲାଯାଇଛି । ଫଳରେ ମଣ୍ଡିକୁ କପା ଆଣିବା ପାଇଁ ପରିବହନ ବାବଦରେ ଯାହା ଖର୍ଚ୍ଚ ହେଉଛି ତାହା ଚାଷୀଙ୍କୁ ବେଶ୍ ବାଧୁଛି । ଏହାର ଫାଇଦା ନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ । ସେମାନେ ଘର ସମ୍ମୁଖରୁ କପା ସଂଗ୍ରହ କରିବା ସହ ତୁରନ୍ତ ଟଙ୍କା ଦେଉଥିବାରୁ ଚାଷୀମାନେ ବାଧ୍ୟ ହୋଇ ଆନ୍ଧ୍ର ବ୍ୟବସାୟୀଙ୍କୁ ଶାଗମାଛ ଦରରେ କପା ଦେବାକୁ ବାଧ୍ୟ ହେଉଛନ୍ତି ।

ଦୀର୍ଘ ୩୦ ବର୍ଷ ହେଲା ଏଠାରେ କପା ଚାଷ ଚାଲିଛି । ହେଲେ ଚାଷୀଙ୍କୁ ମିଳୁନି ସଠିକ୍ ପାଉଣା । ଗଜପତି ଅଞ୍ଚଳରେ ପ୍ରତି ବର୍ଷ ଭଲ କପା ଚାଷ ହେଉଛି । ହେଲେ ଏହି ସ୍ଥାନରେ କପା ଚାଷୀ ମାନେ ମଣ୍ଡି ଅଭାବର ଶିକାର ହେଉଛନ୍ତି । ପୂର୍ବରୁ ଗୁଣୁପୁର ମଣ୍ଡି ଉପରେ ନିର୍ଭର କରୁଥିଲେ । କିଛି ବର୍ଷ ହେଲା ଗଜପତିରେ ମଣ୍ଡି ହୋଇଥିଲେ ବି ପାରଳାଖେମୁଣ୍ଡିରେ ଚାଲିଛି । ତେଣୁ ମଣ୍ଡିକୁ କପା ଆଣିବା ବେଳେକୁ ଖର୍ଚ୍ଚ ବାଧୁଛି ଚାଷୀଙ୍କୁ । ଯାହାର ଉଚିତ ଫାଇଦା ଉଠାଉଛନ୍ତି ଆନ୍ଧ୍ର ଦଲାଲ ମାନେ । ଆବଶ୍ୟକଠାରୁ କମ୍ ଦରରେ ଚାଷୀଙ୍କ ଠାରୁ କପା କିଣିନେଉଛନ୍ତି । ବାହାରେ ଚଢା ଦରରେ ବିକୁଛନ୍ତି କପା । ଯାହାଫଳରେ ବର୍ଷ ସାରା ପରିଶ୍ରମ କରି ମଧ୍ୟ କ୍ଷତି ସହୁଛନ୍ତି କପା ଚାଷୀ ମାନେ । ଖୁବଶୀଘ୍ର ନିଜ ସ୍ଥାନରେ ମଣ୍ଡି ଖୋଲିବାକୁ ଦାବି କରିଛନ୍ତି ।

ଗୋଟିଏ ଅଞ୍ଚଳରେ କପା ଉତ୍ପାଦନ ହେଉଥିିବା ବେଳେ ଅନ୍ୟ ଗୋଟିଏ ସ୍ଥାନରେ କପା ମଣ୍ଡି ଖୋଲିବା ଚାଷୀଙ୍କୁ ଅସୁବିଧାରେ ପକାଉଛି । ସେପଟେ ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦିଆଯାଇଛି ପ୍ରସ୍ତାବ । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବା ଜରୁରୀ ହୋଇପଡିଛି । ଯାହାଫଳରେ କପା ଚାଷୀ ମାନଙ୍କୁ ତାଙ୍କ ପରିଶ୍ରମର ଉଚିତ୍ ମୂଲ୍ୟ ମିଳିପାରିବ ।