କରୋନା ମୁକାବିଲା ଉଦ୍ୟମକୁ ବଡ ଝଟକା : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସାମୟିକ ସ୍ଥଗିତ; ଟୀକା ନେବା ପରେ ବ୍ରିଟେନରେ ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ପଦକ୍ଷେପ

567

କନକ ବ୍ୟୁରୋ : କରୋନା ମୁକାବିଲା ଉଦ୍ୟମକୁ ବଡ ଝଟକା । ଯେଉଁ ଟୀକା ଉପରେ ସାରା ବିଶ୍ୱର ନଜର ରହିଥିଲା, ସେହି ଟୀକାର ପରୀକ୍ଷଣ ଉପରେ ଲାଗିଛି ସାମୟିକ ରୋକ୍ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଯିବା ପରେ ଏହାର ପରୀକ୍ଷଣକୁ ସାମୟିକ ସ୍ଥଗିତ ରଖାଯାଇଛି । ଟୀକା ନେବା ପରେ ବ୍ରିଟେନରେ ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ଟୀକା ପରୀକ୍ଷଣ ଉପରେ ସାମୟିକ ରୋକ୍ ଲାଗିଛି । ବର୍ତମାନ ଏହି ଟୀକାର ଆଗାମୀ ପରୀକ୍ଷଣକୁ ନେଇ ବର୍ତମାନ ଦେଖା ଦେଇଛି ସନ୍ଦେହ । ଆମେରିକା, ବ୍ରିଟେନ୍ ରେ ଏହି ଟୀକାର ପରୀକ୍ଷଣ ସମୟରେ ଶରୀର ପ୍ରତି ଘାତକ ହେବା ପରେ କିଛି ପ୍ରତିକ୍ରିୟା ନଜର ଆସିଛି । ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଏଷ୍ଟ୍ରାଜେନେକ୍ ମିଳିତ ଭାବେ ଏହି ଟୀକାର ବିକାଶ କରୁଛନ୍ତି ।

ତେବେ ବର୍ତମାନ ସୁଦ୍ଧା ଟୀକାକୁ ନେଇ କଣ ସୁରକ୍ଷା ସମ୍ପର୍କରେ କଣ ରହିଥିଲା ମାପଦଣ୍ଡ ଓ କଣ ପ୍ରତିକ୍ରିୟା ସାମ୍ନାକୁ ଆସିଛି ତାହା ପୁରା ଜଣାପଡିନାହିଁ । ଏପରି ଘଟଣା ପରେ ବିଶ୍ୱରେ ଟୀକା ପ୍ରସ୍ତୁତି କାମ ଯେଉଁ ଦ୍ରୁତ ଗତିରେ ଚାଲୁଥିଲା ତାହା ପ୍ରଭାବିତ ହେବା ଆଶଙ୍କା ବି ଦେଖା ଦେଇଛି । ଏହା ସହିତ ଅନ୍ୟ କରୋନା ଟୀକାର କ୍ଲିନିକାଲ୍ ଟ୍ରାଏଲ ବି ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇଛି । ପୂର୍ବରୁ ଆଶା କରାଯାଉଥିଲା ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ପ୍ରତିରୋଧକ କୌଣସି ନା କୌଣସି ଟୀକା ଆସିଯିବ । ତେବେ ଏପରି ଖବର ଏହି ଆଶା ପୂରଣ ହେବା ନେଇ ଆଶଙ୍କା ସୃଷ୍ଟି କଲାଣି ।