ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା : କରୋନା ସହ ଲଢେଇ କରି ରାଉରକେଲାର ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ

4,861

କନକ ବ୍ୟୁରୋ : କରୋନା ସହ ଲଢେଇ କରି ଜବୀନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା । ରାଉରକେଲାରେ କରୋନା ରୋଗୀଙ୍କ ସେବାରେ ଥିବା ଜଣେ ଡାକ୍ତରୀ ଛାତ୍ରୀ କରୋନା ସଂକ୍ରମଣରେ ଆଖି ବୁଜିଛନ୍ତି । ଏହାକୁ ନେଇ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ବିହାର ନାଳନ୍ଦାରୁ ପରିବାର ଲୋକ ଆସିବା ପରେ କରୋନା କଟକଣା ସହ , ରାଷ୍ଟ୍ରୀୟ ମର୍ଯ୍ୟଦା ପ୍ରଦାନ କରି ବେଦବ୍ୟାସ ଶ୍ମଶାନରେ ସଂପନ୍ନ ହୋଇଛି ଅନ୍ତିମ ସଂସ୍କାର ।

ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଅନ୍ତିମ ସଂସ୍କାର କାମ କରାଇଛନ୍ତି । ମୃତ କୋଭିଡ ଯୋଦ୍ଧା ହେଉଛନ୍ତି ଡାକ୍ତର ପ୍ରିୟାଶ୍ରୀ ସିଂ । ଘର ବିହାରର ନାଳନ୍ଦା ଜିଲ୍ଲାରେ । ଆଇଜିଏଚରେ ସର୍ଜରୀ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ ଡାକ୍ତର ପ୍ରିୟାଶ୍ରୀ ସିଂ । ଜରୁରୀ ସ୍ଥିତିରେ ଏୟାର ଆଂବୁଲାନ୍ସରେ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ପାରିଥିଲେ, ଝିଅକୁ ବଂଚାଇ ପାରିଥାନ୍ତେ ବୋଲି ପରିବାର ଲୋକ କ୍ଷୋଭର ସହ ପ୍ରଶାସନକୁ କହିଛନ୍ତି । ଗତ ସେପ୍ଟେମ୍ୱର ୧୪ ତାରିଖରେ କରୋନା ସଂକ୍ରମଣ ପ୍ରିୟାଶ୍ରୀଙ୍କ ଠାରେ ଚିହ୍ନଟ ହୋଇଥିଲା ।

ପ୍ରଥମେ ରାଉରକେଲା ହାଇଟେକ୍ ପରେ ସେପ୍ଟେମ୍ୱର ୨୪ ତାରିଖରେ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ ମାସେ ଧରି ଚିକିତ୍ସାଧୀନ ରହିବା ପରେ ଆଖି ବୁଜିଥିଲେ ଏହି କରୋନା ଯୋଦ୍ଧା । ମୃତ କୋଭିଡ୍ ଯୋଦ୍ଧାଙ୍କ ପରିବାର ଲୋକ ଆଇଜିଏଚ ହସ୍ପିଟାଲ କର୍ତୃପକ୍ଷ ଏବଂ ବରିଷ୍ଠ ଡାକ୍ତରଙ୍କ ଅବହେଳାକୁ ଏହି କରୋନା ଯୋଦ୍ଧାଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି ।