ବଢୁଥିବା କରେନାକୁ କାବୁ କରିବାକୁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ କରୋନା ଟିକା । ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର

160

କନକ ବ୍ୟୁରୋ : ଦେଶରେ ଏବେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଛି । ଦୈନିକ ଦେଶରେ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଆୟତ କରିବାକୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ମୁତାବକ ଏପ୍ରିଲ ପହିଲାରୁ ଦେଶର ୪୫ ବର୍ଷରୁ ଅଧିକ ବୟସ ସମସ୍ତ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏନେଇ ଲୋକମାନେ ପଞ୍ଜିକରଣ କରିବାକୁ ସେ ଆହ୍ୱାନ କରିଛନ୍ତି । ସେ କହିଛନ୍ତି କି ଟାକ୍ସ ଫୋର୍ସ ଓ ବିଶେଷଜ୍ଞ ମାନଙ୍କ ଉପଦେଶରେ କ୍ୟାବିନେଟ ଏଭଳି ନିଷ୍ପତ୍ତି ନେଇଛି । କହିରଖୁ କି ଏପର୍ଯ୍ୟନ୍ତ ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ ବ୍ୟାଧି ପୀଡିତ ମାନଙ୍କୁ ସରକାର ଟିକା ପ୍ରଦାନ କରିଥିଲେ ।

 

ଅନ୍ୟପଟେ ଲକଡାଉନ ସମ୍ଭାବନା ନେଇ ଜାଭଡେକର କହିଛନ୍ତି କି ଯେଉଁ ଯେଉଁ ରାଜ୍ୟ ମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢିବାରେ ଲାଗିଛି , ସେହି ରାଜ୍ୟ ସରକାର ମାନଙ୍କ ସହ କେନ୍ଦ୍ର ସରକାର ସଂପର୍କରେ ରହିଛନ୍ତି । ସେହି ସବୁ ରାଜ୍ୟମାନଙ୍କର ସ୍ଥିତି ଦେଖି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହମତିରେ ନିର୍ଣ୍ଣୟ ନିଆଯିବ । ଅନ୍ୟପଟେ ଟିକାକରଣ ମାଧ୍ୟମରେ ସଂକ୍ରମଣକୁ ରୋକିବାକୁ କେନ୍ଦ୍ରସରକାରଙ୍କ ତରଫରୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି ।

ଏହାମଧ୍ୟରେ କେନ୍ଦ୍ରସରକାର କରୋନା ଭ୍ୟାକସିନର ପ୍ରଥମ ଓ ଦ୍ୱିତୀୟ ଡୋଜକୁ ନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ମୁତାବକ ଯେଉଁମାନେ ଟିକାର ପ୍ରଥମ ଡୋଜ ନେଇଛନ୍ତି ସେମାନେ ୪-୮ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ ନେବାକୁ ହେବ । ଯାହାକି ପୂର୍ବରୁ ୪-୬ ସପ୍ତାହ ମଧ୍ୟରେ ନେବାକୁ କୁହାଯାଇଥିଲା ।