ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ : ଗତ ୨୪ ଘଂଟାରେ ସର୍ବାଧିକ ୧୩୧ ଜଣଙ୍କର ମୃତ୍ୟୁ, ୭ ହଜାର ୪୮୬ ନୂଆ ସଂକ୍ରମିତ

 ୯୦ ପ୍ରତିଶତ ଆଇସିୟୁ ବେଡ୍ ଭର୍ତ୍ତି

164

କନକ ବ୍ୟୁରୋ : ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ । ଗତ ୨୪ ଘଂଟାରେ ୭ହଜାର ୪୮୬ ନୂଆ ସଂକ୍ରମଣ ସାମ୍ନାକୁ ଆସିଥିବା ବେଳେ ୧୩୧ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ଗୋଟିଏ ଦିନରେ କରୋନାରେ ଯେତିକି ଜଣଙ୍କର ମୃତ୍ୟୁ ହୋଇଛି ତାହା ସବୁ ପୁରୁଣା ରେକର୍ଡକୁ  ଟପି  ଯାଇଛି । ଏହା ପୂର୍ବରୁ ଗତ ୧୨ ତାରିଖରେ ୨୪ ଘଂଟାରେ ସର୍ବାଧିକ ୧୦୪ଜଣଙ୍କର ମୃତ୍ୟୁ ହୋଇଥିଲା । ଦିଲ୍ଲୀରେ କରୋନାରେ ଏପର୍ଯ୍ୟନ୍ତ ୭ ହଜାର ୯୪୩ଜଣଙ୍କର ମୃତ୍ୟୁ ହୋଇଛି ।

ଏବେ ଦିଲ୍ଲୀରେ ୪୨ ହଜାର ୪୫୮ ଜଣ ସକ୍ରିୟ ରୋଗୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୬ ହଜାର ରୋଗୀ ହୋମ ଆଇସୋଲେସନରେ ରହିଛନ୍ତି । ଏବଂ ଦିଲ୍ଲୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୩ହଜାର ୮୪ରେ ପହଁଚିଛି । ତେବେ ଦିନକୁ ଦିନ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ ହୋଇଛି । ଅନ୍ୟପଟେ ୯୦ ପ୍ରତିଶତ ଆଇସିୟୁ ବେଡ ଭର୍ତି ହୋଇଯାଇଛି ଯାହାକି ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ସେପଟେ ସାରା ବିଶ୍ୱରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି । ୨୪ ଘଂଟାରେ ସର୍ବାଧିକ ୧୦ ହଜାର ୮୧୬ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ।

ନୂଆ ମୃତ୍ୟୁ ମାମଲାରେ ସବୁଠୁ ଆଗରେ ରହିଛି ଆମେରିକା । ପ୍ରତି ଦିନରେ ବିଶ୍ୱରେ ହେଉଥିବା ୧୨ ଟି ମୃତ୍ୟୁ ମଧ୍ୟରୁ ଗୋଟିଏ କେବଳ ଆମେରିକାରେ ହେଉଛି । ଏପର୍ଯ୍ୟନ୍ତ ଆମେରିକାରେ ସର୍ବାଧିକ ୨ଲକ୍ଷ ୪୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ତାପଛକୁ ବ୍ରାଜିଲରେ ୧ ଲକ୍ଷ ୬୬ ହଜାର ଓ ଭାରତରେ ୧ ଲକ୍ଷ ୩୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ୟୁରୋପୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସର୍ବାଧିକ ବ୍ରିଟେନରେ ୫୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।