ବୁଲ୍ଲି ବାଇ ଆପକୁ ନେଇ ବଢୁଛି ବିବାଦ । ମୁସଲିମ୍ ମହିଳାଙ୍କୁ ନେଇ ନିଲାମି ଡାକିବା ପଡିଲା ମହଙ୍ଗା

215

କନକ ବ୍ୟୁରୋ: ବୁଲ୍ଲି ବାଇ ଆପକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଘଟଣାରେ ମୁମ୍ବାଇ ପୋଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି । ତଥାପି ଏନେଇ ବିବାଦ ଥମିବାରେ ନାଁ ନେଉ ନାହିଁ । ସୋସିଆଲ ମିଡିଆରେ ସକ୍ରିୟ ଥିବା ଶହେ ଜଣ ମୁସଲିମ ମହିଳାଙ୍କୁ ବୁଲ୍ଲି ବାଇ ଆପରେ ନିଲାମ ଡାକିବାର ସାଂଘାତିକ୍ ଅଭିଯୋଗ ହୋଇଥିଲା ।

ବୁଲ୍ଲି ବାଇ ଆପ ମାମଲାରେ ଧରାପଡୁଛନ୍ତି ଜଣଙ୍କ ପରେ ଜଣେ ଅଦୃଶ୍ୟ ଅଭିଯୁକ୍ତ । ଆପ ଜରିଆରେ ମୁସଲିମ ମହିଳାଙ୍କ ନିଲାମି ଡାକିବା ଅଭିଯୋଗରେ ପ୍ରଥମେ ବେଙ୍ଗାଲୁରୁରୁ ୨୧ ବର୍ଷୀୟ ଇଂଜିନିୟରିଂ ଛାତ୍ର ବିଶାଲ କୁମାରକୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ବିଶାଲକୁ ଗିରଫ କରି କୋର୍ଟରେ ହାଜର କରାଯାଇଛି । ଏବଂ କୋର୍ଟ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବିଶାଲକୁ ପୋଲିସ୍ ରିମାଣ୍ଡରେ ପଠାଇଛନ୍ତି । ଏଥିସହ ବିଶାଲଙ୍କ ଘରେ ସର୍ଚ୍ଚ ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।

ବୁଲ୍ଲି ବାଇ ଆପ ବନାଇବା ଏବଂ ଏଥିରେ ସୋସିଆଲ ମିଡିଆରେ ପ୍ରତିଷ୍ଠିତ ଶହେ ମୁସଲିମ ମହିଳାଙ୍କ ଫଟୋକୁ ନେଇ ନିଲାମି ଡାକିବା ଭଳି ନିନ୍ଦନୀୟ ଘଟଣା ପଛରେ ମାଷ୍ଟର ମାଇଣ୍ଡ ଉତ୍ତରାଖଣ୍ଡର ଜଣେ ୧୮ ବର୍ଷୀୟ ଯୁବତୀ ବୋଲି କୁହାଯାଉଛି । ମୁମ୍ବାଇ ପୋଲିସ ତାଙ୍କୁ ମଧ୍ୟ ଗିରଫ କରିଥିବା ଜଣାପଡିଛି । ତେବେ ବିଶାଲଙ୍କ ଓକିଲ କହିଛନ୍ତି ଏହି ମାମଲା ବିଶାଲଙ୍କର କିଛି ସମ୍ପୃକ୍ତି ନାହିଁ । ତାଙ୍କୁ ଏହି ଘଟଣାରେ ଫସାଇବାକୁ ଚେଷ୍ଟା କରାଯାଉଛି ।

ସେପଟେ ବୁଲ୍ଲି ବାଇ ଆପକୁ ନେଇ ଟ୍ୱିଟରରେ ହୋଇଥିବା ସମସ୍ତ ଟ୍ୱିଟ୍ ଓ କମେଣ୍ଟକୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆପ ବିରୋଧରେ ମୁସଲିମ୍ ମହିଳାମାନେ ଅଭିଯୋଗ ଆଣିବା ପରେ ଦେଶରେ ବୁଲ୍ଲି ବାଇ ଆପ ହଇଚଇ ସୃଷ୍ଟି କରିଛି ।