ରାସ୍ତା ନକରି ଲକ୍ଷ ଲକ୍ଷ ଟଙ୍କା ନେଇଗଲା ଠିକାଦାର । ରାୟଗଡାରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଅଭିଯୋଗ

199

କନକ ବ୍ୟୁରୋ : ଗାଁକୁ ଯିବା ପାଇଁ ରାସ୍ତାଟିଏ ନାହିଁ । ଫଳରେ ଓଡିଶାର ଲୋକେ ଆନ୍ଧ୍ର ଦେଇ ୨୫ କିଲୋମିଟର ବାଟ ବୁଲି ବୁଲି ଯିବା ଆସିବା କରୁଛନ୍ତି । ଏଭଳି ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଳକ ମାଉଡିଗୁଡା ଗାଁରେ । ଅନ୍ୟପଟେ ରାସ୍ତା କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହଉଥିଲେ ମଧ୍ୟ କାମରେ ଅନିୟମିତତା ଯୋଗୁଁ ରାସ୍ତା ନିର୍ମାଣ ହୋଇପାରୁ ନାହିଁ ।
ରାସ୍ତା ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ହେଲେ ରାସ୍ତା କାମ ନକରି ଠିକାଦାର ଟଙ୍କା ହଡପ ହୋଇଛି । ଏଭଳି ଅଭିଯୋଗ ଆସିଛି ରାୟଗଡା ସଦର ବ୍ଳକ ମାଉଡିଗୁଡା ଗାଁରୁ । ଗାଁକୁ ସଂଯୋଗ କରୁଥିବା ରାସ୍ତା ଖାଲଖମାରେ ଭର୍ତି, ଏଠି ଗାଡି ଗଡିବା ତ ଦୂରର କଥା ଚାଲିଚାଲି ଯିବା ମଧ୍ୟ କାଠିକର ପାଠ । ଜେମାଦେଇପେଣ୍ଠ ପଂଚାୟଚ ଠାରୁ ମାତ୍ର ୫ କଲୋମିଟର ଦୂରରେ ଥିବା ଏହି ଗାଁକୁ ରାସ୍ତାଟିଏ ନଥିବାରୁ ଲୋକେ ଆନ୍ଧ୍ରପ୍ରଦେଶ ଦେଇ ୨୫ କିଲୋମିଟର ବାଟ ବୁଲି ରାୟଗଡା ଯାଉଛନ୍ତି । ଗମନାଗମନ ସୁବିଧା ନଥିବାରୁ ମେଡିକାଲ କିମ୍ବା ଜରୁରୀ କାମ ପାଇଁ ଆନ୍ଧ୍ର ଉପରେ ନିର୍ଭର କରନ୍ତି ଏଠାକାର ବାସିନ୍ଦା ।

ରାସ୍ତା ନାହଁ ବୋଲି ଓଡିଶା ଲୋକ ଆନ୍ଧ୍ର ଉପରେ ନିର୍ଭରଶୀଳ । ଅନ୍ୟପଟେ ଗାଁ ରାସ୍ତାର ଉନ୍ନତିକରଣ ପାଇଁ ସିଏଫସି ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଏନ.ଆଇ.ଇ.ଜିଏ ଯୋଜନାରେ ୧୦ ଲକ୍ଷ ଟଙ୍କା ଅନୁଦାନ ଆସିଛି । ରାସ୍ତା କାମରେ ସେ ଟଙ୍କା ଖର୍ଚ୍ଚ ହୋଇଥିବା ଫଳକ ଲାଗିଛି । ହେଲେ ରାସ୍ତା କାମ ନକରି ଶ୍ରମିକଙ୍କ ଯବ୍କାର୍ଡ ଓ ପାସବୁକ୍ ବ୍ୟବହାର କରି ଠିକାଦାର ଟଙ୍କା ହଡପ କରିନେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋଲି ରାୟଗଡା ବିଡିଓ କହିଛନ୍ତି ।

ତେବେ ଏଠି ସ୍ଥାନୀୟ ଲୋକଙ୍କ ମନରେ କେତେକ ପ୍ରଶ୍ନ ଉଠୁଛି । ରାସ୍ତା ନିର୍ମାଣ କାମରେ ଟଙ୍କା ଆତ୍ମସାତ କରିଥିବା ଠିକାଦାରଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ? କେବେ ରାସ୍ତା ନିର୍ମାଣ କାମ ସଂପୂର୍ଣ୍ଣ ହେବ? ଏବେ ତାହା ଉପରେ ସମସ୍ତଙ୍କ ନଜର ।