ରାସ୍ତାରେ ପଡୁଛି ଲୁଣା ବାଲି । ଜଗତସିଂହପୁର ବାଲିକୁଦା ବ୍ଲକରେ ଲୋକଙ୍କ ହିତ ପାଇଁ ହୋଇଥିବାରୁ ଯୋଜନାରୁ କୋଟି କୋଟି ଟଙ୍କା ହରିଲୁଟ୍ କରୁଛନ୍ତି ଠିକାଦାର

114

କନକ ବ୍ୟୁରୋ : ଲୋକଙ୍କ ହିତ ପାଇଁ ଯୋଜନା ହେଉଛି । କିନ୍ତୁ କିଛି ଠିକାଦାର ଓ ଯନ୍ତ୍ରୀଙ୍କ ପାଇଁ ସାଧାରଣ ଲୋକ ଏହାର ଫାଇଦା ପାଇ ପାରୁ ନାହାନ୍ତି । ଲୋକଙ୍କୁ ଭୂଆଁ ବୁଲାଇ କୋଟି କୋଟି ଟଙ୍କା ଲୁଟ୍ କରାଯାଉଛି । ୫ଟିକୁ ଗୁରୁତ୍ୱ ଦେଉଥିବା ସରକାରରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗ୍ରାମ୍ୟ ସଡକ ଯୋଜନାରେ ଦୁଇ କୋଟିରୁ ଅଧିକ ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୋଜନାରେ ଦୁର୍ନିତି ଖବର ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚାକୁ ଆସିଛି ।

ଲୋକଙ୍କ ସମସ୍ୟାର ସମାଧାନ ପାଇଁ ୨୦୧୯ ଜାନୁଆରୀ ୨୯ ତାରିଖରୁ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ କାମ କରାଯାଉଛି । ସୂଚନା ଅନୁସାରେ ୨୦୧୯ ଜୁଲାଇ ସୁଦ୍ଧା ରାସ୍ତା କାମ ସାରିବା ପାଇଁ ନିର୍ଦେଶ ରହିଛି ।

ହେଲେ ଏଯାଏଁ କାମ ସରିନଥିବା ବେଳେ ଅତି ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି । ରାସ୍ତା କାମ ଠିକା ନେଇଥିବା ଠିକାଦାର ରାସ୍ତାରେ ଲୁଣି ବାଲି ପକାଉଛି । ରାସ୍ତା କଡ଼, ଅନାବାଦି ଗୋଚର, ଗ୍ରାମ୍ୟ ଜଙ୍ଗଲରୁ ବାଲି ଖୋଲି ରାସ୍ତାରେ ପକାଉଥିବା ଅଭିଯୋଗ ହୋଇଛି ।
ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ସାଢେ ୩ କିଲୋମିଟର ରାସ୍ତା ପାଇଁ ୨ କୋଟି ୧୩ ଲକ୍ଷ ୮୪ ହଜାର ଟଙ୍କାର ବ୍ୟୟ ଅଟକଳ ହୋଇଛି । ୩ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୭ ଲକ୍ଷ ୯୨ ହଜାର ଟଙ୍କା ଅଟକଳ କରାଯାଇଛି । କିନ୍ତୁ ଏଠି କେବଳ ଲୁଣା ବାଲିରେ କାମ କରାଯାଉଛି । ଫଳରେ ରାସ୍ତାର ସ୍ଥାୟୀତ୍ୱକୁ ନେଇ ଆଶଙ୍କା ସୃଷ୍ଟି ହେବା ସହ ସରକାରଙ୍କ ରାଜସ୍ୱ ପାଣିରେ ପଡ଼ୁଛି । ନିମ୍ନମାନର ରାସ୍ତା କାମ ନେଇ ଅଭିଯୋଗ କଲେ ଠିକାଦାର ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ବି ନାଲି ଆଖି ଦେଖାଉଛନ୍ତି ।