୨୨ ବର୍ଷ ପରେ ହେବାକୁ ଯାଉଛି କଂଗ୍ରେସ ସଭାପତି ନିର୍ବାଚନ । ୨୪ ବର୍ଷ ପରେ ଦଳ ଦେଖିବ ପ୍ରଥମ ଅଣ ଗାନ୍ଧୀ ମୁଖିଆ

80

କନକ ବ୍ୟୁରୋ : ଦିର୍ଘ ୨୨ ବର୍ଷ ପରେ ହେବାକୁ ଯାଉଛି କଂଗ୍ରେସ ସଭାପତି ନିର୍ବାଚନ । ଏବଂ ୨୪ ବର୍ଷ ପରେ ଅଣ ଗାନ୍ଧୀ ପରିବାରର ଜଣେ ବ୍ୟକ୍ତି କଂଗ୍ରେସର ମଙ୍ଗ ଧରିବାକୁ ଯାଉଛନ୍ତି । ରାହୁଲ ଗାନ୍ଧୀଙ୍କ ସଭାପତି ହେବାକୁ ୧୦ରୁ ଅଧିକ ରାଜ୍ୟ କଂଗ୍ରେସ ସଙ୍କଳ୍ପ ପାରିତ କରିଥିଲେ ବି ସେ ସଭାପତି ହେବାକୁ ମନାକରିଦେଇଛନ୍ତି । ତେବେ କଂଗ୍ରେସ ନିର୍ବାଚନ ପାଇଁ ଶନିବାର ଠାରୁ ନାମାଙ୍କନ ଦାଖଲ ଆରମ୍ଭ ହେବ । ସଭାପତି ରେସରେ କଂଗ୍ରେସ ସାଂସଦ ଶଶି ଥରୁର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରହିଥିବା ବେଳେ ଆଉ କିଛି ନାମକୁ  ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଋାହୁଲ ଗାନ୍ଧୀଙ୍କୁ କଂଗ୍ରେସର ସଭାପତି କରିବାକୁ ୧୦ରୁ ଅଧିକ ରାଜ୍ୟ ସଙ୍କଳ୍ପ ପାରିତ କରିଥିଲେ ମଧ୍ୟ ସେ ତାଙ୍କ ନିଷ୍ପତିରେ ଅଟଳ ରହିଛନ୍ତି । ଗାନ୍ଧୀ ପରିବାର ବ୍ୟତୀୟ ଅନ୍ୟ କେହି କଂଗ୍ରେସର ମଙ୍ଗ ଧରନ୍ତୁ ବୋଲି ରାହୁଲ ତାଙ୍କୁ କହିଥିବା ଅଶୋକ ଗେହଲଟ କହିଛନ୍ତି । ଗୁରୁବାର ରାହୁଲଙ୍କୁ ସଭାପତି ହେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ବୁଝାଇବାକୁ ଚେଷ୍ଟା କରିଥିଲେ ବି ସେ ତାଙ୍କର ନିଷ୍ପତିର ପରିବର୍ତନ କରିନାହାଁନ୍ତି । ଫଳରେ ୨୦୦୦ ମସିହା ପରେ ପ୍ରଥର ପାଇଁ କଂଗ୍ରେସ ସଭାପତି ପଦବୀ ପାଇଁ ନିର୍ବାଚନ ହେବାକୁ  ଯାଉଛି । ଅନିଚ୍ଛା ସତ୍ୱେ ଗେହଲଟ ନାମାଙ୍କନ ଭରିବେ ବୋଲି ସ୍ପଷ୍ଟ କରିଥିବା ବେଳେ ଆଶାୟୀଙ୍କ ତାଲିକା ବଢିବାରେ ଲାଗିଛି । ଯଦି ସେ ସଭାପତି ହୁଅନ୍ତି ତେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଦଳ ନିଷ୍ପତି ନେବ ବୋଲି କହିଛନ୍ତି ଗେହଲଟ ।
କଂଗ୍ରେସ ସାଂସଦ ଶଶି ଥରୁର, ଅଶୋକ ଗେହଲଟ କଂଗ୍ରେସ ସଭାପତି ପଦ ପାଇଁ  ନିର୍ବାଚନ ଲଢିବା ସ୍ପଷ୍ଟ ହୋଇଥିବା ବେଳେ ଏହି ଦୌଡରୁୁ ନିଜକୁ ଦୂରେଇ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ସେ ନିର୍ବାଚନ ଲଢିବେ ନାହିଁ ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି ।  ଆସନ୍ତା ଅକ୍ଟୋବର ୧୭ରେ ହେବାକୁ ଥିବା ନିର୍ବାଚନ ପାଇଁ ଶନିବାରଠୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । ଗେହଲଟ, ଥରୁରଙ୍କୁ ଛାଡି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଶ ତିୱାରୀ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ, ମୁକୁଲ ୱାନସିକ, ପୃଥିରାଜ ଚୌହ୍ୱାନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।