ଏକାଠି ହେଲେ କଂଗ୍ରେସ ନେତା, ମୁଖ୍ୟମନ୍ତ୍ରୀଙ୍କୁ କଲେ ଟାର୍ଗେଟ । ପ୍ରେସମିଟରେ କହିଲେ, ବିଧାନସଭା ଆସନ୍ତୁ ଗୃହର ନେତା

Advertisment
ଏକାଠି ହେଲେ କଂଗ୍ରେସ ନେତା, ମୁଖ୍ୟମନ୍ତ୍ରୀଙ୍କୁ କଲେ ଟାର୍ଗେଟ । ପ୍ରେସମିଟରେ କହିଲେ, ବିଧାନସଭା ଆସନ୍ତୁ ଗୃହର ନେତା

କନକ ବ୍ୟୁରୋ: ପାଞ୍ଚ ଦିନ ଧରି ବିଧାନସଭା ଅଚଳ ରହିବା ପରେ ଆଜି କଂଗ୍ରେସ ନେତୃବୃନ୍ଦ ଏକାଠି ହୋଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପିସିସି ସଭାପତି ଓ ଅନ୍ୟ ନେତାଙ୍କ ସହ ପ୍ରେସମିଟ୍ ଡାକି ବିଧାୟକ ଦଳ ନେତା କହିଛନ୍ତି, ବିଧାନସଭା ଅଚଳ ରହିବା ପଛରେ ବିରୋଧୀ ନୁହଁନ୍ତି, ଶାସକ ଦଳ ଦାୟୀ । ଏହାଛଡା ମୁଖ୍ୟମନ୍ତ୍ରୀ କାହିଁକି ବିଧାନସଭାକୁ ଆସୁନାହାଁନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

୫ ଦିନ ଧରି ବିଧାନସଭା ଅଚଳ ହେବା ପରେ ରାଜ୍ୟ କଂଗ୍ରେସର ସବୁ ତୁଙ୍ଗ ନେତା ଏକଜୁଟ ହୋଇ, ଗଣମାଧ୍ୟମକୁ ଡାକି, ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶାବାସୀଙ୍କୁ ବାର୍ତ୍ତା ଦେବା ପାଇଁ ଚାହିଁଛନ୍ତି, ଯେ ବିଧାନସଭା ନଚାଲିବା ପାଇଁ ସରକାର ଦାୟୀ । ଯୁକ୍ତି ଦେଖାଇ କହିଛନ୍ତି, ଯଦି ସରକାର ଗୃହ ଚଳାଇବା ପାଇଁ ଚାହିଁଥାନ୍ତେ, ତେବେ ସମସ୍ତଙ୍କୁ ଡାକି ସମାଧାନ କରିଥାନ୍ତେ ।

ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରି ନରସିଂହ ପଚାରିଛନ୍ତି, ସ୍ମାର୍ଟ କାର୍ଡ ବାଣ୍ଟିବାକୁ ଯାଉଛନ୍ତି, ଜୁନିୟର ହକି ବିଶ୍ୱକପ୍ର ଟ୍ରଫି ବାଣ୍ଟିବାକୁ ଯାଉଛନ୍ତି, ହେଲେ ଗୃହକୁ କାହିଁକି ଆସୁନାହାନ୍ତି ନବୀନ? ଅଞ୍ଜନା ମିଶ୍ର ମାମଲାରେ ନିଜେ ନବୀନ ଏତଲା ଦେବାକୁ ଯାଇଥିଲେ, ମମିତା ମାମଲାରେ କାହିଁକି ନୀରବ ରହିଛନ୍ତି । ପ୍ରେସମିଟରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମମିତାଙ୍କ ବଡ଼ ବାପାଙ୍କ ଫୋନ ବାର୍ତ୍ତାଳାପର ଅଡିଓ ମଧ୍ୟ ଶୁଣାଇଛି କଂଗ୍ରେସ ଏବଂ କଲେଜରେ ଝିଅମାନଙ୍କ ସହ କ’ଣ ଘଟେ, ମମିତାଙ୍କ ସାଙ୍ଗମାନଙ୍କ କଥାବାର୍ତ୍ତାର ଅଡିଓ ମଧ୍ୟ ସାମନାକୁ ଆଣିଛି ଦଳ ।

ଏପଟେ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ବିଧାୟକ ଶଶୀ ବେହେରା କହିଛନ୍ତି, ବିଧାନସଭା ଅଚଳ ହେବା ପାଇଁ ବିରୋଧୀ ହିଁ ଦାୟୀ । ସେହିପରି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବିରୋଧୀଙ୍କ ଆଚରଣ ଓଡ଼ିଶା ବାସୀ ଦେଖୁଛନ୍ତି, ଠିକ୍ ସମୟରେ ସେମାନେ ଜବାବ ଦେବେ । ତେବେ ବିଧାନସଭା ଅଚଳ ରହିବା ପ୍ରସଙ୍ଗରେ ଉଭୟ ବିରୋଧୀ ଓ ଶାସକ ଦଳ ପରସ୍ପର ଉପରେ ଦୋଷ ଲଦିଛନ୍ତି । ତେବେ ଏହାରି ଭିତରେ ଗତ ୫ ଦିନରେ ମାତ୍ର ଏକ ଘଣ୍ଟା ଚାଲିପାରିଛି ଗୃହ । ନଷ୍ଟ ହୋଇଯାଇଛି, ବିଧାନସଭାର ଘଣ୍ଟା ଘଣ୍ଟା ମୂଲ୍ୟବାନ ସମୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe