ସିବିଆଇ ରେଡ ସମୟକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ଉପନିର୍ବାଚନ ଆସିବାରୁ ସିବିଆଇ ଝଲକ ଦେଖାଉଥିବା କହିଲେ ତାରା ବାହିନୀପତି : ବିଜେପିର ଜବାବ, ଦୋଷୀଙ୍କୁ ଦଣ୍ଡ ମିଳିବା ନିଶ୍ଚିତ, ଉପନିର୍ବାଚନ ସହ ନାହିଁ ସଂପର୍କ

129

କନକ ବ୍ୟୁରୋ : ଅନେକ ଦିନର ନିରବତା ପରେ ପୁଣି ରାଜ୍ୟରେ ସକ୍ରିୟ ହୋଇଛି ସିବିଆଇ । ସିସୋର ଲିଙ୍କ୍ ନେଇ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇର ଚଢାଉ । ଭୁବନେଶ୍ୱର ୟୁନିଟ-୧ ସ୍ଥିତ ସରକାରୀ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢାଉ ହୋଇଥିବା ଜଣାପଡିଛି । କଟକ ମହାନଦୀ ଏବଂ ଅଟ୍ରିରେ ସି-ସୋରକୁ ବୋଟିଂ ପାର୍କ ଦେବା ନେଇ ତଦନ୍ତ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ଏହି ଲିଙ୍କ ନେଇ ବିଜେଡି ବିଧାୟକଙ୍କ ଘରେ ସିବିଆଇ ଅଧିକାରୀ ଚଢାଉ କରିଛନ୍ତି ।

ଦେବୀ ମିଶ୍ର ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଥିବା ସମୟରେ ଅଟ୍ରି ମହାନଦୀ ବୋଟିଂ ପାଇଁ ସି-ସୋରକୁ ଅନୁମତି ଦେଇଥିଲେ ସରକାର । ଏହି ମାମଲାରେ ପୂର୍ବରୁ ଜ୍ୟୋତିଙ୍କ ଦୁଇ ସହଯୋଗୀ ପ୍ରଫୁଲ୍ଲ ସିଂ ଏବଂ ଦିଲ୍ଲୀପ ମିଶ୍ରଙ୍କୁ ସିବିଆଇ ଜେରା କରିଥିଲା । ଆଜି ସିବିଆଇର ୫ ଜଣିଆ ଟିମ୍ ଏହି ଚଢାଉ କରିଛନ୍ତି । ଜଣେ ଡିଏସପି ପାହ୍ୟା ଅଧିକାରୀଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା । ସକାଳ ପ୍ରାୟ ସାଢେ ୭ଟାରୁ ଚଢାଉ କରାଯାଇଥିବା ସୂଚନା ମିଳିଛି । କରୋନା ପଜିଟିଭ୍ ଆସିବା ପରେ ଦେବୀ ମିଶ୍ର ଏବେ ଘରୋଇ ସଂଗରୋଧରେ ରହିଛନ୍ତି । ସିବିଆଇ ଟିମ୍ ସିସୋର ବୋଟିଂକୁ ନେଇ ଦସ୍ତାବିଜର ଖୋଳତାଡ କରିଛନ୍ତି ।

ତାଙ୍କ ବାସଭବନରୁ ସିବିଆଇ ଟିମ୍ କିଛି କାଗଜପତ୍ର ସାଙ୍ଗରେ ନେଇଥିବା ଜଣାପଡିଛି । ମହାନଦୀରେ ନୌକା ବିହାର ନେଇ ସିସୋରକୁ ଟେଣ୍ଡର ମିଳିବା ନେଇ ସିବିଆଇ ପ୍ରଥମେ ଚଢାଉ କରିଥିଲା । ଏବେ ପ୍ରାୟ ୭ବର୍ଷ ପରେ ପୁଣି ସିବିଆଇ ଚଢାଉ କରିଛି । ସେପଟେ ବଡମ୍ୱା ନରସିଂହପୁର ବିଧାୟକ ଦେବୀ ମିଶ୍ରଙ୍କ ନରସିଂହପୁର ବାସଭବନରେ ମଧ୍ୟ ସିବିଆଇ ଟିମ୍ ଚଢାଉ କରିଥିବା ସୂଚନା ମିଳିଛି ।