କେନ୍ଦ୍ରାପଡାରେ ଚାଷ ଜମି ସୃଷ୍ଟି କରୁଛି ନଦୀର ଭ୍ରମ : ବର୍ଷା ପାଣିରେ ବୁଡିଛି ଶହ ଶହ ହେକ୍ଟର ଧାନ ଫସଲ, ହୋଇପାରୁନି ଜଳ ନିଷ୍କାସନ; ଚିନ୍ତାରେ ଚାଷୀ

127

କନକ ବ୍ୟୁରୋ : ପାଣିରେ ବୁଡିଛି ଶହ ଶହ ହେକ୍ଟର ଚାଷ ଜମି । ଚାଷ ହୋଇଥିବା ଧାନ ଜମିରେ ସୃଷ୍ଟି ହେଉଛି ନଦୀର ଭ୍ରମ । କେନ୍ଦ୍ରାପଡା ଗରଦପୁର ବ୍ଲକ ବଙ୍ଗାଳପୁର ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ଦୃଶ୍ୟକୁ ଦେଖନ୍ତୁ ଏହା ଚାଷ ଜମି କି କୌଣସି ଜଳାଶୟ ତାହା ଜାଣିବା ମୁସ୍କିଲ । କାରଣ ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି । ୧୪ ତାରିଖ ଲଗାଣ ବର୍ଷାପରେ ଏପରି ଅବସ୍ଥା ସୃଷ୍ଟି ହୋଇଛି । ହେଲେ ଜଳନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପକ୍ଷକ୍ଷେପ ନିଆଯାଇ ନଥିବା କହିଛନ୍ତି ଚାଷୀ । ଏବଂ ଡ୍ରେନେଜ୍ ଡିଭିଜନର ଭୁଲ ନିଷ୍ପତି ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ସେପଟେ, ମାଲକାନଗିରି ମୋଟୁରେ ଏବେ ବି ଅନେକ ଅଂଚଳ ଜଳମଗ୍ନ । ଚାଷ ଜମି ଓ ଘର ପାଣିରେ ବୁଡି ରହିଛି । ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଚିନ୍ନ ହୋଇଯାଇଛି । ମୁଗି ପଏଂଟ ସହ ପୁରୁଣା ମୋଟୁ ଅଂଚଳ ଜଳମଗ୍ନ ଅବସ୍ଥାରେ ରହିଛି । ବହୁ ଘର ପାଣିରେ ବୁଡି ରହିଛି । ସେପଟେ ୬ ଦିନ ପରେ କାଙ୍ଗୋରୁକୋଣ୍ଡା ପୋଲ ଉପରୁ ପାଣି ହ୍ରାସ ପାଇବା ପରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ସ୍ୱାଭାବିକ ହୋଇଛି । ତେବେ ପୋଲ ଉପରେ ଏକ ଟ୍ରକ୍ ଫସି ରହିଥିବାରୁ ସେହି ବାଟ ଦେଇ କେବଳ ଛୋଟ ଛୋଟ ଗାଡି ଯାତୟତ କରିପାରୁଛି । ଅନ୍ୟପଟେ ମୋଟୁ ଅଂଚଳରେ କିନ୍ତୁ ବନ୍ୟା ସ୍ଥିତିରେ ବିଶେଷ କିଛି ପରିବର୍ତନ ଆସି ନାହିଁ । ଗାଦାବରୀ ନଦୀର ଜଳସ୍ତର ୬୩ ଫୁଟରୁ ୫୩ଫୁଟକୁ ଖସି ଆସିଥିବା ଜଣାପଡିଛି ।