ସାମ୍ନାକୁ ଆସିଲା ଡାକ୍ତରଖାନାର ଅବ୍ୟବସ୍ଥା , ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ । ସ୍ୱାସ୍ଥ୍ୟ ସେବା ଯୋଗଇବା ପାଇଁ ଦାବି କଲେ ଗ୍ରାମବାସୀ ।

248

କନକବ୍ୟୁରୋ: ଏବେ ନିର୍ବାଚନୀ ମାହୋଲ । ଚାରିଆଡେ ଜମୁଛି ପ୍ରଚାର । ଜନତାଙ୍କ ମତ ନେଇ ଜନପ୍ରତିନିଧି ସାଜିବାକୁ ଶୋଭାଯାତ୍ରା ଓ ସଭା କରୁଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ନେତା । ଗାଁ ଗାଁରେ ବୁଲି ଲୋକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ନିର୍ବାଚନର ଏହି ଉଷ୍ମତା ଭିତରେ ଏକ ଡାକ୍ତରଖାନାର ଦୃଶ୍ୟ ଯାହା ବିଚଳିତ କରୁଛି । ଏଭଳି ଅବ୍ୟବସ୍ଥା ଭିତରେ ରହିଛି ଖୁଂଟୁଣୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ।

ଡାକ୍ତରଖାନାଟି ୫୫ ନମ୍ବର ଜାତୀୟ ରାଜପଥ କଡରେ ରହିଛି । ହେଲେ ଏଠି ଡାକ୍ତର ନଥିବାରୁ ରୋଗୀଙ୍କୁ ସେବା ଯୋଗାଉଛନ୍ତି ଫାର୍ମାଶିଷ୍ଟ । କୁନି କୁନି ପିଲା ଓ ଦୁର୍ଘଟଣା ଜନିତ ଆହତଙ୍କ ଚିକିତ୍ସା କରାଉଛନ୍ତି । ତାହା ପୁଣି କେବଳ ଦିନ ବେଳା ।

କାରଣ ଡାକ୍ତର ନଥିବାରୁ ସଂଜ ନଇଁଲେ ଡାକ୍ତରଖାନାରେ ତାଲା ପଡୁଥିବା ଅଭିଯୋଗ ହୋଇଛି । ଖୁଂଟୁଣୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୧୦ଟି ପଂଚାୟତର ଲୋକ ନିର୍ଭର କରନ୍ତି । ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଠାରେ ଡାକ୍ତର ଯୋଗାଇ ଦେବା ସହ ୨୪ ଘଂଟିଆ ସେବା ଯୋଗାଇବା ପାଇଁ ସାଧାରଣରେ ଦାବି କରିଛନ୍ତି ଜନତା ।