ନାବାଳକ ମୃତ୍ୟୁ ପରେ ସ୍ଥିତି ସାଂଘାତିକ। ପୋଲିସ୍ କର୍ମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ

399

କନକ ବ୍ୟୁରୋ: ଫ୍ରାନ୍ସରେ ଅଣାୟତ ସ୍ଥିତି ।  ଦଙ୍ଗାର ନିଅାଁରେ ଜଳୁଛି ଫ୍ରାନ୍ସ । ଦେଶର ଅଧିକାଂଶ ସହରରେ ଏବେ ଉତେଜନା ପରିସ୍ଥିତି । ପୋଲିସ୍ ହାତରେ ଜଣେ ନାବାଳକଙ୍କ ମୃତ୍ୟୁ ପରେ ଫ୍ରାନ୍ସରେ ଏବେ ହିଂସା ବଢ଼ିଚାଲିଛି । ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରତିବାଦକାରୀ । ଧୀରେ ଧୀରେ ଏହା ଉଗ୍ରରୂପ ନେଇ ଦଙ୍ଗାରେ ପରିଣତ ହୋଇଛି । ଆଉ ଏହି ଦଙ୍ଗାର ପ୍ରଭାବରେ ଏବେ ପୁରା ଫ୍ରାନ୍ସ ଅଶାନ୍ତ ହୋଇପଡ଼ିଛି ।

ପାଞ୍ଚ ଦିନ ହେଲା ଫ୍ରାନ୍ସର ଅଧିକାଂଶ ସହରରେ ହିଂସା ଜାରିରହିଛି । ଦଙ୍ଗାକାରୀ ବିଭିନ୍ନ ସରକାରୀ ଅନୁଷ୍ଠାନ ଉପରେ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନାହାନ୍ତି । ରାଜରାସ୍ତା ପାଲଟିଛି ରଣକ୍ଷେତ୍ର । ଦଙ୍ଗାକାରୀ ଓ ପୁଲିସ ମଧ୍ୟରେ ସଂଘର୍ଷ ଘଟୁଛି । ୫ଶହରୁ ଅଧିକ ଗାଡ଼ି ପୋଡ଼ିଛି, ୭୪ଟି କୋଠାରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି ଦଙ୍ଗାକାରୀ । ସୂଚନା ଅନୁସାରେ ଏବେ ସୁଦ୍ଧା ୨୮ଶହ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି । ସେହିପରି ୨ଶହରୁ ଅଧିକ ପୁଲିସକର୍ମୀ ଆହତ ହୋଇଥିବା ଜଣାପଡିଛି । ଉପଦ୍ରବକାରୀଙ୍କୁ ଆୟତ କରିବା ପାଇଁ ପ୍ରାୟ ୪୫ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଅଧିକାଂଶ ବିକ୍ଷୋଭକାରୀ ୧୪ରୁ ୧୮ବର୍ଷ ବୟସରେ ବୋଲି ଜଣାପଡିଛି ।

ନାହେଲ ନାମକ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ପରେ ଫ୍ରାନ୍ସରେ ଏହି ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ନାବାଳକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆଉ ଏହାକୁ ନେଇ ସାରାଦେଶରେ ପ୍ରତିବାଦ ଜାରି ରହିଛି । ଏସବୁ ଭିତରେ ଜଣେ ୩୮ ବର୍ଷୀୟ ପୋଲିସ୍ ଅଧିକାରୀଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ଦେଶରେ ଶାନ୍ତି ବଜାୟ ରଖିବାକୁ ରାଷ୍ଟ୍ରପତି ମାକ୍ରନ ବାରମ୍ବାର ଆହ୍ୱାନ କରୁଥିଲେ ବି, ଦଙ୍ଗାକାରୀ ତାଙ୍କ କଥା ଶୁଣୁନାହାନ୍ତି ।