ସଂସଦରେ ଆଜିଠୁ ବଜେଟ ଅଧିବେଶନ । ଉଭୟ ଗୃହରେ ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ

ଆସନ୍ତାକାଲି ଆସିବ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବଜେଟ

48

କନକ ବ୍ୟୁରୋ: ସଂସଦରେ ଆଜିଠାରୁ ଆରମ୍ଭ ହେଉଛି ବଜେଟ ଅଧିବେଶନ । ଆସନ୍ତାକାଲି ୨୦୨୦-୨୧ ବର୍ଷର ସାଧାରଣ ବଜେଟ ଉପସ୍ଥାପିତ ହେବ । ତେବେ ଗୃହରେ ବଜେଟ ଉପସ୍ଥାପନ ହେବା ଆଗରୁ ଆଜି ଆସିବ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ । କେନ୍ଦ୍ର ଅର୍ଥମନ୍ତ୍ରାଳୟର ଉପଦେଷ୍ଟା କେବି ସୁବ୍ରମଣ୍ୟମ ଆର୍ଥିକ ସର୍ବେକ୍ଷଣ ରିପୋର୍ଟକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପିତ କରିବେ । ଏହି ରିପୋର୍ଟରେ ରହିବ ଗତ ୧୨ ମାସରେ ବିକାଶକୁ ନେଇ କଣ କାମ ସବୁ କରାଯାଇଛି ।

ସରକାରଙ୍କ କେଉଁ ସବୁ ଲୋକାଭିମୁଖୀ ଯୋଜନା ସଫଳତା ହାସଲ କରିଛି । ବର୍ତ୍ତମାନର ଆର୍ଥିକ ସ୍ଥିତିକୁ ଆଖିରେ ରଖି କେଉଁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ସେନେଇ ପ୍ରସ୍ତାବ ମଧ୍ୟ ରହିଥାଏ । ଏହାଛଡା ଆଗାମୀ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିର ରୂପରେଖ କଣ ରହିବ ସେନେଇ ମଧ୍ୟ ବିସ୍ତୃତ ସୂଚନା ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ରହିଛି । ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବଜେଟ ସଂସଦରେ ଉପସ୍ଥାପନ କରିବେ ।

ଦେଶର ଅର୍ଥବ୍ୟବସ୍ଥାରେ ଦେଖା ଦେଇଥିବା ମାନ୍ଦାବସ୍ଥାକୁ ଆଖିରେ ରଖି ସରକାର ସୁଧାର ଆଣିବା ପାଇଁ ବଜେଟରେ ବଡ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି । ଆଜିଠାରୁ ଆରମ୍ଭ ହେଉଥିବା ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅପ୍ରେଲ ତିନି ତାରିଖ ଯାଏଁ ଚାଲିବ ହେବ । ବଜେଟର ପ୍ରଥମ ଅଧିବେଶନ ଜାନୁୟାରୀ ୩୧ରୁ ଫେବୃୟାରୀ ୧୧ ତାରିଖ ଯାଏଁ ଏବଂ ଦ୍ୱିତୀୟ ଅଧିବେଶନ ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ଅପ୍ରେଲ ୩ ତାରିଖରେ ସରିବ ।

ବଜେଟ ଅଧିବେଶ ପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ କରିଥିଲେ । ବୈଠକକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିରୋଧୀଙ୍କ ରାୟ ଶୁଣିବାକୁ ଓ ସବୁ ପ୍ରସଙ୍ଗରେ ଚର୍ଚା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ବୈଠକ ପରେ ଏହି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସର୍ବଦଳୀୟ ବୈଠକରେ ବିରୋଧୀ ନାଗରିକତା ସଂଶୋଧନ ଆଇନ, ଏନପିଆର, ଏନଆରସି, ଅର୍ଥବ୍ୟବସ୍ଥାର ସ୍ଥିତ, କାଶ୍ମୀର ସ୍ଥିତି ପ୍ରସଙ୍ଗ ଉଠାଇ ଚର୍ଚ୍ଚା ଦାବି କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସମେତ ବିଭିନ୍ନ ଦଳର ସାଂସଦ ସାମିଲ ହୋଇଥିଲେ ।  ସେହିପରି ସଂଧ୍ୟାରେ ଲୋକସଭା ବାଚସ୍ପତି ଓମ ବିର୍ଲା ସର୍ବଦଳୀୟ ବୈଠକ କରିଥିଲେ । ସବୁ ଦଳର ନେତାଙ୍କୁ ବଜେଟ ଅଧିବେଶନକୁ ବାଧିତନକରି ଗୃହ ଚଳାଇବାରେ ସହଯୋଗ କରିବାକୁ ସେ ଅପିଲ କରିଛନ୍ତି । ସବୁ ଦଳ ନେତା ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଲୋକସଭା ବାଚସ୍ପତି ।