ଏହି ସିନେମା ଦେଖିଲେ କମ୍ପାନୀ ଦେବ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି । ପଢ଼ନ୍ତୁ ପୂରା ଖବର…

376

କନକ ବ୍ୟୁରୋ: ଆଜିର ବ୍ୟସ୍ତବହୁଳ ଜୀବନରେ ଟିକେ ଚାପମୁକ୍ତ ହେବା ପାଇଁ ଲୋକେ ମନୋରଞ୍ଜନଙ୍କୁ ମାଧ୍ୟମ କରନ୍ତି । ସେଥିପାଇଁ ଅନେକ ଲୋକ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି । ସିନେମା ହଲକୁ ଯାଇ ଶହ ଶହ ଟଙ୍କା ଖର୍ଚ୍ଚ ବି କରିଥାନ୍ତି । କାହାକୁ କମେଡି ସିନେମା ପସନ୍ଦ ଥାଏ ତ କାହାକୁ ଆକ୍ସନ ଥ୍ରୀଲରଭରା ଫିଲ୍ମ ଦେଖିବାକୁ ଭଲ ଲାଗେ । ଏମିତିକି ଫ୍ୟାମିଲି ଡ୍ରାମା କିମ୍ବା ସତ ଘଟଣା ଉପରେ ଆଧାରିତ ଫିଲ୍ମ ଦେଖିବାକୁ ବି ଅନେକ ଲୋକ ଏବେ ପସନ୍ଦ କରୁଛନ୍ତି । କିନ୍ତୁ ଭାବିଲେ ଯଦି ଆପଣ ଫିଲ୍ମ ଦେଖିବେ କିନ୍ତୁ ଆପଣଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବନି ବରଂ ଓଲଟା ଯଦି ଆପଣ ସିନେମା ଦେଖୁଛନ୍ତି ତାହେଲେ ଆପଣଙ୍କୁ ପୁରସ୍କାର ଟଙ୍କା ମିଳିବ, ସେ ବି ହଜାରେ କି ୨ହଜାର ନୁହଁ ବରଂ ପାଖାପାଖିି ଏକ ଲକ୍ଷ ଟଙ୍କା ।

କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ସତ । ଆପଣ ୧୩ଟି ସିନେମା ଦେଖିବେ ଏବଂ ଆପଣଙ୍କୁ ମିଳିବ ୧୩ଶହ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପାଖାପାଖି ୧ଲକ୍ଷ ଟଙ୍କା । ଆପଣ ଭାବୁଥିବେ ଯେ ଏହା କେମିତି ସମ୍ଭବ । ସାଧାରଣ ସିନେମା ଦେଖି କେମିତି ଆପଣ ଟଙ୍କା ରୋଜଗାର କରିପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ କମେଡି କିମ୍ବା ଆକ୍ସନ ଫିଲ୍ମ ନୁହଁ ବରଂ ହରର ଫିଲ୍ମ ଦେଖିବାକୁ ହେବ । ଏକ କମ୍ପାନି ପକ୍ଷରୁ ଏନେଇ ଘୋଷଣା ହୋଇଛି । କମ୍ପାନୀ ୧୩ଟି ଭୟଙ୍କର ହରର ବା ଭୂତ ଫିଲ୍ମର ତାଲିକା ପ୍ରସ୍ତୁତ କରିଛି ଯାହାକୁ ଦେଖିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୩୦୦ ଡଲାର ଅର୍ଥାତ ପ୍ରାୟ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବ ଫାଇନାନ୍ସବଜ୍ କମ୍ପାନୀ । ଏନେଇ ଏହି ୱେବସାଇଟରେ ଘୋଷଣା କରାଯାଇଛି ।

ସବୁଠାରୁ ବଡ଼କଥା ହେଲା, ଫିଲ୍ମ ଦେଖିବା ସମୟରେ କମ୍ପାନୀ ପକ୍ଷରୁ ସେହି ବ୍ୟକ୍ତିଙ୍କର ହୃଦସ୍ପନ୍ଦନ ମପାଯିବ । ଏପରିକି କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଭିନ୍ନ ଭିନ୍ନ ୧୩ଟି ହରର୍ ଫିଲ୍ମର ତାଲିକା ପ୍ରସ୍ତୁତ କରାଯାଇଛି । ତେବେ ୱେବ୍ସାଇଟରେ ପ୍ରକାଶିତ ହୋଇଥିବା ଫିଲ୍ମଗୁଡିକର ନାମ ହେଲା ଅମିଟିଭିଲ୍ଲେ ହରର୍ , ଏ କ୍ୱିଟ୍ ପ୍ଲେସ୍ , ଏ କ୍ୱିଟ୍ ପ୍ଲେସ୍ ପାର୍ଟ ୨, କ୍ୟାଣ୍ଡି ମ୍ୟାନ୍ , ଇନ୍ସିଡିୟସ୍ , ଦ ବ୍ଲେୟର ୱିଚ୍ ପ୍ରୋଜେକ୍ଟ , ସିନିଷ୍ଟର , ଗେଟ୍ଆଉଟ୍ , ଦ ପର୍ଜ୍ ,୨୦୧୮ ରିମେକ୍ ଅଫ୍ ପାରାନର୍ମାଲ ଆକ୍ଟିଭିଟି , ହାଲୋୱିନ୍, ଆନାବେଲ୍ ଇତ୍ୟାଦି ।

ତେବେ ଏହି ଫିଲ୍ମକୁ ଦେଖିବାଲାଗି ହରର୍ ମୁଭି ହାର୍ଟରେଟ୍ ଆନାଲିଷ୍ଟଙ୍କ ସନ୍ଧାନ କରାଯାଉଛି । ତାଙ୍କ ଜରିଆରେ ବଡ଼ ବଜେଟର ଫିଲ୍ମରେ ଭୟର ତୁଳନାକୁ କମ୍ ବଜେଟର ହରର୍ ଫିଲ୍ମ ସହ କରାଯିବ । ଏହି ସମୟରେ ଫିଲ୍ମ ଦେଖୁଥିବା ଲୋକର ହୃଦ୍ ସ୍ପନ୍ଦନ ମାପିବାଲାଗି ଫିଟ୍ ବିଟ୍ ଡିଭାଇସର ବ୍ୟବହାର କରାଯିବ । ଏହାର ଭାଗ୍ୟଶାଳୀ ବିଜେତାଙ୍କୁ ପ୍ରାୟ ୧ଲକ୍ଷ ଟଙ୍କା ପୁରସ୍କାର ମିଳିବ । ମୁଭି ମାରାଥନ୍ ସମୟରେ ଫିଟ୍ ବିଟ୍ ପିନ୍ଧିବା ଓ ଫିଲ୍ମ ଦେଖିବା ବାବଦ ଖର୍ଚ୍ଚ ଲାଗି କମ୍ପାନୀ ୫୦ ଡଲାରର ଏକ ଉପହାର କାର୍ଡ ଅଲଗା ଭାବେ ଦେବ । ଏଥିପାଇଁ ଆବେଦନ ଆରମ୍ଭ ହୋଇଯାଇଥିବା ବେଳେ ସେପ୍ଟେମ୍ବର ୨୬ ଅନ୍ତିମ ତାରିଖ ରହିଛି । ବିଜେତାଙ୍କ ଘୋଷଣା ଅକ୍ଟୋବର ୧ ତାରିଖରେ କରାଯିବା ନେଇ କମ୍ପାନୀ ପକ୍ଷରୁ ୱେବ୍ସାଇଟରେ ସୂଚନା ଦିଆଯାଇଛି ।