କନକ ବ୍ୟୁରୋ: କାର୍ତ୍ତିକ ଭାଇ କହିଲେ ସମସ୍ତେ ଜାଣନ୍ତି । ପୁରା ବସ୍ତାରେ ତାଙ୍କର ସ୍ୱତନ୍ତ୍ର ପରିଚୟ । ଏହା କେବଳ ତାଙ୍କର ନିଃସ୍ୱାର୍ଥପର ସେବା ପାଇଁ  ।ଆମେ କହୁଛୁ ବସ୍ତା ଅଞ୍ଚଳରେ ଶବର ସାଥୀ ଭାବେ ଜଣାଶୁଣା କାର୍ତ୍ତିକ ଚନ୍ଦ୍ର ବାରିକଙ୍କ କଥା ।
Advertisment
ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ସାର୍ଥା ଗାଁର କାର୍ତ୍ତିକ ଚନ୍ଦ୍ର ବାରିକ ।ଖାଲି ବସ୍ତା ଇଲାକାରେ ନୁହେଁ ପୁରା ଜିଲ୍ଲାରେ ସେ ଶବର ସାଥୀ ଭାବେ ବେଶ୍ ଜଣାଶୁଣା । ଯେଉଁ ସମୟ ହେଉ, ଯେଉଁ ସ୍ଥାନ ହେଉ କାହାରି ଶବ ବୁହାହେବା ଖବର ପାଇବା ମାତ୍ରେ କାଳ ବିଳମ୍ବ ନକରି ଛୁଟାଇ ଦିଅନ୍ତି ନିଜ ଅଟୋ । ପହଞ୍ଚି ଯାଆନ୍ତି ଶବ ପାଖରେ । ଆଉ ଆପଣାର ମଣିଷଙ୍କ ପରି ଅପରିଚିତ ଶବକୁ ଧରି ଅଟୋରେ ରଖିବା ଠାରୁ ଘର କି ଶ୍ମଶାନ ପାଖରେ ପହଞ୍ଚାଇବା କାମ କରନ୍ତି । ଆଜିକାଲି ସ୍ୱାଥ ର୍ସର୍ବସ୍ୱ ସମାଜରେ ବଞ୍ଚିଥିବା ମଣିଷକୁ ଲୋକେ ଆଡେଇ ଦେଉଥିବାବେଳେ କାର୍ତ୍ତିକ ପାଲଟିଯାଇଛନ୍ତି ମଲା ମଣିଷର ସାଥୀ ।
ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୩୦ ବର୍ଷ ହେବ ଶବ ବୋହୁଛନ୍ତି କାର୍ତ୍ତିକ  । ଏଯାଏଁ ପାଖାପାଖି ୫ ହଜାର ଶବକୁ ନିଜ ଅଟୋରେ ବୋହି ନେଇ ସେବା ଯୋଗାଇସାରିଛନ୍ତି ।  ପାରିଶ୍ରମିକ ପାଇଁ ତାଙ୍କର ନିଘା ନଥାଏ । ଟଙ୍କାଟିଏ ବି ଦାବି କରନ୍ତି ନାହିଁ । ଯଦି ବାଧ୍ୟ କରି ନିଜ ସାଧ୍ୟମତେ କେହି କିଛି ଦିଅନ୍ତି ତାକୁ ଈଶ୍ୱରଙ୍କ ଦାନ ଭାବି ଗ୍ରହଣ କରିନିଅନ୍ତି । ତେବେ ଆମ୍ବୁଲାନ୍ସ ଖଣ୍ଡେ କିମ୍ବା ସ୍ୱର୍ଗ ରଥ ଗାଡି ଖଣ୍ଡେ ହେଲେ ଏହି ସେବାକୁ ଆହୁରି ସୁଚାରୁ ରୂପେ କରିପାରନ୍ତେ ବୋଲି କହିଛନ୍ତି କାର୍ତ୍ତିକ ।
ଶବ ବୋହିବା କାମକୁ ପ୍ରୃତ ଈଶ୍ୱର ସେବା ବୋଲି ଧରି ନେଇଛନ୍ତି କାର୍ତ୍ତିକ ।  ଏଥିପାଇଁ ତାଙ୍କୁ ସବୁ କ୍ଷେତ୍ରରୁ ମିଳୁଛି ଅଜସ୍ର ଶ୍ରଦ୍ଧା ଓ ସମ୍ମାନ ।