ହକି ବିଶ୍ୱକପ୍ ଟ୍ରଫି ପରିକ୍ରମା ବେଳେ ହଙ୍ଗାମା। ସୁନ୍ଦରଗଡ଼ରେ ମୁହାଁମୁହିଁ ପୂର୍ବତନ ବିଧାୟକ ଓ ଜିଲ୍ଲାପାଳ।

411

କନକ ବ୍ୟୁରୋ: କାର୍ଯ୍ୟକ୍ରମ ଥିଲା, ହକି ବିଶ୍ୱକପ ଟ୍ରଫିର ସହର ପରିକ୍ରମା । ଏଥିପାଇଁ ସୁନ୍ଦରଗଡ଼ ସହରରେ ଥିଲା ବେଶ ଉତ୍ସାହ । ସୁସଜ୍ଜିତ ଗାଡ଼ିରେ ଯେତେବେଳେ ଟ୍ରଫି ଯାଉଥିଲା, ଶହ ଶହ ହକି ପ୍ରେମୀ ଏହାକୁ ସ୍ୱାଗତ କରୁଥିଲେ । ହକିର ଏହି ଉତ୍ସାହ, କିନ୍ତୁ ଉଦ୍ବେଗରେ ପରିଣତ ହୋଇଯାଇଥିଲା, ଯେତେବେଳେ ଏହି ଟ୍ରଫି-ଟି, ୱିମେନ୍ସ କଲେଜ ଛକରେ ପହଞ୍ଚିଥିଲା । ଟ୍ରଫି ଥିବା ଟ୍ରକ୍ ଉପରେ ପୂର୍ବତନ ବିଧାୟକ ଯୋଗେଶ ସିଂହ ଏବଂ ପ୍ରଫୁଲ୍ଲ ମାଝୀ ଫଟୋ ଉଠାଉଥିବା ବେଳେ, ସୃଷ୍ଟି ହୋଇଥିଲା ଅପ୍ରିତୀକର ପରିସ୍ଥିତି । ଜିଲ୍ଲାପାଳ ପରାଗ ହରାଷଦ ଗାଭାଲି ଏବଂ ପିଡିଡିଆରଡିଏ ମନୋଜ ସତ୍ୟବାନ, ନେତାଙ୍କୁ ଟ୍ରକ୍ରୁ ଓହ୍ଲାଇବାକୁ କହିଥିଲେ । ଏମିତି କି ଟ୍ରକରୁ ଟାଣିଆଣି ଓହ୍ଲାଇବାକୁ ଉଦ୍ୟମ କରିଥିବା ସହ ମାଡ଼ ମାରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଆଉ ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହି ଘଟଣା ପରେ ଦୀର୍ଘ ସମୟ ଧରି ସେଠି ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେଡିର ଦୁଇ ନେତାଙ୍କୁ ସରକାରୀ ଅଧିକାରୀ ଅପମାନିତ କରିଥିବା ଅଭିଯୋଗ କରି, କର୍ମୀ ଓ ସ୍ଥାନୀୟ ଲୋକମାନେ ହଙ୍ଗାମା କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାର ଦୁଇ ଲୋକପ୍ରିୟ ନେତାଙ୍କୁ ଆରେଷ୍ଟ କରାଯିବ ବୋଲି ଧମକ ଦେବାରୁ ସ୍ଥିତି ଅଣାୟତ ହୋଇଯାଇଥିଲା ।

ସୂଚନା ଅନୁସାରେ ହକି ବିଶ୍ୱକପ ଟ୍ରଫି ନେଇ ଯାଉଥିବା ସ୍ୱତନ୍ତ୍ର ଟ୍ରଫି ଉପରେ ଚଢ଼ିବା ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ଦୁଇ ବିଧାୟକ ଗାଡ଼ିରେ ଫଟୋ ନେବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବେଶ କିଛି ସମୟ ଧରି ହଙ୍ଗାମା ପରେ ଆପୋଷବୁଝାମଣା ହୋଇଥିଲା । ଆଉ ଟ୍ରଫି ଗାଡ଼ିଟି ଆଗକୁ ବଢ଼ିଥିଲା ।