ରେଡରେ ଲାଗିଲା ରାଜନୀତିର ରଙ୍ଗ: ମୁହାଁମୁହିଁ କୁସୁମ ଟେଟେ- ଯୋଗେଶ ସିଂ

2,780

କନକ ବ୍ୟୁରୋ: ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ମିଳିବା ପରେ ଏହି ଟଙ୍କା କୁଆଡୁ ଆସିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଇଟି ରେଡରେ ଲାଗିଛି ରାଜନୀତିର ରଙ୍ଗ । ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ସୁନ୍ଦରଗଡର ବିଜେପି ବିଧାୟିକା କୁସୁମ ଟେଟେ ସାଂଘାତିତ ଅଭିଯୋଗ ଆଣି କହିଛନ୍ତି, ଯେଉଁ ମଦ କଂପାନୀ ଉପରେ ରେଡ୍ ହୋଇଛି ତା’ର ଜମିର ମାଲିକାନା ବିଜେଡି ନେତା ଯୋଗେଶ ସିଂହଙ୍କ ମା’ ଓ ଭାଇଙ୍କ ନାଁରେ ଥିଲା । ଆଉ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୋଗେଶ ସିଂହ । କହିଛନ୍ତି, ସଂପୃକ୍ତ ବ୍ୟବସାୟୀଙ୍କ ସହ ପାରିବାରିକ ସମ୍ପର୍କ ରହିଛି ବ୍ୟବସାୟିକ ସମ୍ପର୍କ ନାହିଁ ।

ରେଡ୍, ରାଜନୀତି, ମଦ ଓ ଟଙ୍କା । ଗୋଟିଏ, ଆଉ ଗୋଟିଏ ସହ ଯଦିଓ ସିଧାସଳଖ ପରସ୍ପର ସଂପୃକ୍ତ ନୁହେଁ । ତଥାପି ନିର୍ବାଚନ ସମୟରେ କେଉଁଠି ନା’ କେଉଁଠି ଗୋଟିଏକୁ ଆଉ ଗୋଟିଏ ସହ ଯୋଡ଼ି ଦିଆଯାଏ । କାହିଁକି ନା’ ନିର୍ବାଚନ ସମୟର ରାଜନୀତିରେ ରେଡ୍ ଏବଂ ଭୋଟ୍ ପାଇଁ ଟଙ୍କା ଓ ମଦକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ପଡ଼ୋଶୀ ଛତିଶଗଡ଼ ଓ ତେଲେଙ୍କାନାରେ ତାଜା ତାଜା ନିର୍ବାଚନ ସରିିଥିବା ବେଳେ ଘନଘନ ଆଇଟି ରୋଡ୍ ଏବଂ ରେଡ୍କୁ ନେଇ ରାଜନୀତି ତୀବ୍ର ହୋଇଛି । ସୁନ୍ଦରଗଡ, ରାଉରକେଲା, ବୌଦ୍ଧ, ବଲାଙ୍ଗୀର ସମେତ ବିଭିନ୍ନ ସ୍ଥାନରେ ଆଇଟି ରେଡ୍ରେ ନଗଦ ୨୦୦ କୋଟି ଟଙ୍କା ଜବତ ହେବା ଘଟଣାରେ ମୁହାଁମୁହିଁ ହୋଇଛନ୍ତି ବିଜେଡି- ବିଜେପି ।

ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଆଣିଛନ୍ତି ସାଂଘାତିତ ଅଭିଯୋଗ । କହିଛନ୍ତି, ଯେଉଁ ମଦ କଂପାନୀ ଉପରେ ଆୟକର ଫାଙ୍କି ଥିବା ଅଭିଯୋଗରେ ରେଡ୍ ହୋଇଛି ତା’ର ଜମିର ମାଲିକାନା ଯୋଗେଶ ସିଂହଙ୍କ ମା’ ଓ ଭାଇଙ୍କ ନାଁରେ ଥିଲା । ତେଣୁ ଏବେ କଂପାନୀର ମାଲିକାନା କେମିତି ଆଉ ଜଣଙ୍କ ନାଁକୁ ଗଲା? ବୋଲି ସେ ପ୍ରଶ୍ନ କରିଛନ୍ତି । ଜବାବରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ ସିଂହ କହିଛନ୍ତି- ସେ ବିଧାୟିକା ହେବା ପୂର୍ବରୁ ଦେଶୀ ମଦ ବ୍ୟବସାୟରେ ଲିପ୍ତ ଥିଲେ । ତେବେ ରେଡ୍ ଚାଲିଥିବା ବ୍ୟବସାୟୀଙ୍କ ସହ ପାରିବାରିକ ସମ୍ପର୍କ ଅଛି କିନ୍ତୁ କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ ।

ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଏବଂ ବର୍ତମାନର ବିଧାୟକଙ୍କ ଏହି ବୟାନବାଜି ଭିତରେ ବୟାନ ରଖିଛନ୍ତି ବରଗଡ଼ ବିଧାୟକ ଦେବେଶ । ସେ କହିଛନ୍ତି- ମୁଖ୍ୟମନ୍ତ୍ରୀ କାହାକୁ ଛାଡ଼ନ୍ତି ନାହିଁ । କଳା କାରବାର ସହ ସଂପୃକ୍ତ ବ୍ୟକ୍ତି ନିଶ୍ଚୟ ଧରାପଡ଼ିବେ । ତେବେ ପୁଳାପୁଳା ଟଙ୍କା ଆସିଲା କେମତି ? ଏବଂ ଏଥିରେ ରାଜନୈତିକ ସଂପୃକ୍ତି କ’ଣ ରହିଛି? ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।