ସୁଶାନ୍ତ ମୃତ୍ୟୁ ଓ କଙ୍ଗନା ବିବାଦରେ ରାଜନୀତିର ରଙ୍ଗ । ନିର୍ବାଚନ ପୂର୍ବରୁ ସୁଶାନ୍ତଙ୍କୁ ବିହାର ମାଟିର ପୁଅ କହୁଛନ୍ତି ନୀତିଶ : ସେପଟେ କଙ୍ଗନାଙ୍କୁ ହିମାଚଳର ଝିଅ କହି ଆଗେଇ ଆସିଲେଣି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର

434

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ବେକାକୁ ହେଉଥିବା ବେଳେ ଅର୍ଥନୀତି ମଧ୍ୟ ଭୁଷୁଡିବାକୁ ବସିଲାଣି । କିନ୍ତୁ ଏହାରି ଭିତରେ ସାରାଦେଶରେ ଚର୍ଚ୍ଚା ଚାଲିଛି କେବଳ ସୁଶାନ୍ତ ସିଂ ରାଜପୁତ, ରିଆ ଚକ୍ରବର୍ତୀ ଓ କଙ୍ଗନା ରାଣାୱତଙ୍କୁ ନେଇ । ଏହି ପ୍ରସଙ୍ଗରେ ଏବେ ରାଜନୀତିର ରଙ୍ଗ ଲାଗିସାରିଛି । ନିର୍ବାଚନ ପୂର୍ବରୁ ସୁଶାନ୍ତଙ୍କୁ ବିହାର ମାଟିର ପୁଅ କହୁଛନ୍ତି ନୀତିଶ । ସେପଟେ କଙ୍ଗନାଙ୍କୁ ହିମାଚଳର ଝିଅ କହି ଆଗେଇ ଆସିଲେଣି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ସୁଶାନ୍ତ ମୃତ୍ୟୁ ଠାରୁ ଆରମ୍ଭ ହୋଇଥିବା ବିବାଦରେ ମହାରାଷ୍ଟ୍ରରେ ମୁହାଁମୁହିଁ ବିଜେପି-ଶିବସେନା । ଦେଖନ୍ତୁ ଏହି ରିପୋର୍ଟ ।

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରୁ ଆରମ୍ଭ ହୋଇଛି ଏକ ନାଟକୀୟ ଅଧ୍ୟାୟ । ଚଳଚିତ୍ରର କାହାଣୀଠାରୁ ମଧ୍ୟ ଏହି ଘଟଣାଟି ଅଧିକ ରୋମାଂଚକର । ଏହି ଘଟଣାଟି ଅଧିକ ଚର୍ଚ୍ଚିତ ହୋଇପଡିଛି ଏଇଥିପାଇଁ ଯେ, ଏଥିରେ ମାୟାନଗରୀ ଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ଅନେକ ବ୍ୟକ୍ତି ଯୋଡି ହୋଇସାରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସର କାର୍ଯ୍ୟାଧାରା ଉପରେ ପ୍ରଶ୍ନ ଉଠିଲା । ଏବଂ ସମୟକ୍ରମେ ମାମଲାଟି ସିବିଆଇ ହାତକୁ ଗଲା । ଏହାରି ଭିତରେ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତୀ ମଧ୍ୟ ସନ୍ଦେହଘେରରେ ଆସିଲେ । ଡ୍ରଗ୍ସ ଲିଙ୍କର ଖୋଳତାଡରେ ସେ ଗିରଫ ହେଲେ । ଏହାକୁ ନେଇ ପରିସ୍ଥିତି ସରଗରମ ରହିଥିବା ବେଳେ ବଲିଉଡ କ୍ୱିନ କଙ୍ଗନା ରାଣାୱତ, ବଲିଉଡ, ମହାରାଷ୍ଟ୍ର ପୋଲିସ ଓ ଶିବସେନାକୁ ଟାର୍ଗେଟ କଲି । ତାଙ୍କ ଜୀବନକୁ ବିପଦ ଦର୍ଶାଇ କେନ୍ଦ୍ର ସରକାର ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦିଆଗଲା । ଏତିକି ବେଳେ ବେଆଇନ ନିର୍ମାଣ ଦର୍ଶାଇ ବିଏମସି କଙ୍ଗନାଙ୍କ ଅଫିସରେ ବୁଲଡୋଜର ଚଲାଇଲା ।

ଏବେ ପ୍ରଶ୍ନ ଉଠୁଛି ମୁଖ୍ୟ ପ୍ରସଙ୍ଗଟା କେଉଁଠୁ ଆରମ୍ଭ ହୋଇଥିଲା ଏବଂ ଏବେ କେଉଁଠି ପହଂଚିଲାଣି । ଏହାପଛରେ ଲାଗିସାରିଛି ରାଜନୀତିର ରଙ୍ଗ । ବିଜେପି ଓ ଶିବସେନା ମଧ୍ୟରେ ଚାଲିଥିବା ବିବାଦରେ ପ୍ରତିଶୋଧପରାୟଣ ହୋଇପଡିଛନ୍ତି ଉଭୟ ଦଳ । ପରସ୍ପର ଉପରେ ରାଗ ସୁଝାଇବାକୁ ଯାଇ ଚାଲିଥିବା ଏହି ହାଇପ୍ରୋଫାଇଲ ଡ୍ରାମାରେ ମୋହରା ସାଜିଛନ୍ତି ସୁଶାନ୍ତଙ୍କ ପରିବାର, ରିଆ ଓ କଙ୍ଗନା ।
ସୁଶାନ୍ତ, ରିଆ ଓ କଙ୍ଗନାକୁ ନେଇ ନିଜ ନିଜର ଫାଇଦା ଉଠାଇବା ପାଇଁ ରାଜନୈତିକ ଦଳ ଗୁଡିକ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ସେପଟେ ମୋଦୀ ସରକାର ତରତର ହୋଇ କଙ୍ଗନାଙ୍କୁ ଯେପରି ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦେଲେ ତାହା ଆଶ୍ଚର୍ଯ୍ୟଜନକ ନିଶ୍ଚୟ । ସେପଟେ କଙ୍ଗନାଙ୍କ ଅଫିସ ଭାଙ୍ଗିବା ଆହୁରୀ ଉଦବେଗଜନକ । ତେବେ ଯେଉଁମାନଙ୍କୁ ମୋହରା କରାଯାଇଛି, ନିର୍ବାଚନ ପରେ ତାଙ୍କର ଭବିଷ୍ୟତ କଣ ହେବ ତାହା କହିବା ଅସମ୍ଭବ ନୁହେଁ । କାରଣ ରାଜନୀତିରେ ସବୁକିଛି ସମ୍ଭବ ।