କନକ ବ୍ୟୁରୋ : ଦୁର୍ଗାପୂଜା ଛୁଟି ପରେ ଖୋଲିପାରେ କଲେଜ । କଲେଜ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ନେବେ । ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କ ସୂଚନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ସ୍କୁଲ ଓ କଲେଜ ବନ୍ଦ ରହିଛି । ଅନଲାଇନ ଜରିଆରେ ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ । ଏହାକୁ ନେଇ ଅନୁଧ୍ୟାନ କରିବାକୁ ଦଶଦିନ ତଳେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ ସାମିଲ ହୋଇଛନ୍ତି ।
ଅନୁଧ୍ୟାନ ପାଇଁ ଛଅଟି ସବ୍ କମିଟି ଗଠନ କରାଯାଇଛି । ସେମାନେ ରିପୋର୍ଟ ଦେବା ପରେ ଏହାର ପ୍ରଚଳନ ନେଇ ନିଷ୍ପତ୍ତି ନିଆଯିବ । ଗତକାଲି ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଥିବା ବେଳେ ଆଜି କଲେଜ ଖୋଲିପାରେ ବୋଲି କହିଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ । ତେବେ କଲେଜ ଖୋଲିବା ନେଇ ସମସ୍ତ ନିଷ୍ପତ୍ତି ସରକାର ନେବେ ବୋଲି ଶାଶ୍ୱତ ମିଶ୍ର ସ୍ପଷ୍ଟ କରିଛନ୍ତି ।
ଅନ୍ୟପକ୍ଷରେ ମାଧ୍ୟମିକ ବିଦ୍ୟାଳୟ (ହାଇସ୍କୁଲ) ଶିକ୍ଷକ ଶିକ୍ଷୟିତ୍ରୀ କେତେ ପାଠ ପଢ଼ାଇଛନ୍ତି ? ଲକ୍ଡାଉନ୍ ଓ ଅନ୍ଲକ୍ ସମୟରେ ସେମାନେ ଅନ୍ଲାଇନ୍ରେ ଛାତ୍ରଛାତ୍ରୀଙ୍କ କ୍ଲାସ ନେଇଛନ୍ତି କି ନାହିଁ ? ସେପ୍ଟେମ୍ବର ମାସ ଶେଷ ସପ୍ତାହରେ କେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମୁଖ୍ୟାଳୟରେ ନ ଥିଲେ ? କେଉଁମାନେ ଅନ୍ଲାଇନ୍ରେ ଆଦୌ କ୍ଲାସ ନେଇ ନାହାନ୍ତି ? ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମ ମାଧ୍ୟମରେ ପାଠ ପଢ଼ାଉଛନ୍ତି କି ନାହିଁ ? ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ଅତିକମ୍ରେ ୨୦ ଜଣ ପିଲାଙ୍କୁ ଫୋନ୍ କରି ଦୂରଦର୍ଶନ କିମ୍ବା ‘ମଧୁ’ ଆପ୍ର ପାଠପଢ଼ା ସମ୍ପର୍କରେ ପଚାରି ବୁଝିଛନ୍ତି କି ନାହିଁ ତାହାର ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର ।