ରାଜ୍ୟରେ ଶୀତଲହରୀ ଜାରି : ସୋନପୁର ସବୁଠାରୁ ଥଣ୍ଡା ଅଂଚଳ; ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ରେକର୍ଡ

80

କନକ ବ୍ୟୁରୋ : ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଲାଣି । ୪ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ରେକର୍ଡ କରାଯାଇଛି । ଏବେ କିଛି ଦିନ ରାଜ୍ୟର ତାପମାତ୍ରା ଏମିତି ହିଁ ରହିବ । ୪/୫ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ଓ ଖରାଟିଆ ରହିଥିଲା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମ୍‌ ରହିଛି ।

ଏଥିସହ ଦକ୍ଷିଣ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ସର୍ବନିମ୍ନ ରାତ୍ରି ତ‌ାପମାତ୍ରା ସ୍ବାଭାବିକଠାରୁ କମ୍‌ ରେକର୍ଡ ହୋଇଛି। ୧୦ ଡିଗ୍ରୀରୁ ତଳକୁ ରାଜ୍ୟର ୪ସହରର ପାରଦ ଖସିଛି। ସବୁଠାରୁ କମ୍‌ ସର୍ବନିମ୍ନ ରାତ୍ରି ତାପମାତ୍ରା ସୋନ୍‌ପୁରଠାରେ ୮.୮ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ, ଫୁଲବାଣୀରେ ୯.୮ ଡିଗ୍ରୀ, ଅନୁଗୁଳରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଗତକାଲି ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ୧ଡିଗ୍ରି ତଳକୁ ଖସି ୧୫.୪ ଡିଗ୍ରୀ ରହିଥିଲା।

ଅନ୍ୟପ‌ଟେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ରହିଥିବା ଅବପାତ ଆଜି ସକାଳେ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଗଭୀର ଅବପାତରେ ପରିଣତ ହୋଇଛି । ଆସନ୍ତା ୨୪ଘଣ୍ଟା ଭିତରେ ଏହା ସାମୁଦ୍ରିକ ବାତ୍ୟାର ରୂପ ନେବ। ଏହା ୨ ତାରିଖ ରାତି ସୁଦ୍ଧା ଶ୍ରୀଲଙ୍କାର ତ୍ରିକୋମାଲି ଉପକୂଳ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।