ରାଜପଥରୁ ସାରା ବିଶ୍ୱ ଦେଖିଲା ଭାରତର ପରାକ୍ରମ । ଫର ଫର ଉଡିଲା ତ୍ରିରଙ୍ଗା, ବାୟୁସେନା ଦେଖାଇଲା ଦମଦାର ରଣକୌଶଳ ।

149

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ରାଜପଥରେ ଦମ ଦେଖାଇଛି ଭାରତୀୟ ବାୟୁ ସେନା । ପ୍ରଥମ ଥର ପାଇଁ ସାମିଲ ହେଲା ରାଫେଲ ଫାଇଟର ବିମାନ । ସବୁଠାରୁ ବଡ କଥା ହେଉଛି, ବର୍ଡସ-ଆଇ ଭିୟୁ ଅର୍ଥାତ୍ ବିହଙ୍ଗାବଲୋକନ ସ୍ଥିତିରୁ ଏହାକୁ ଦେଖିପାରୁଥିଲେ ଲୋକେ । ଏବଂ ଏହାର ଭିଡିଓ ଉତ୍ତୋଳନ କରୁଥିବା ବିମାନର କକପିଟରୁ ସିଧାସଳଖ ଲାଇଭ୍ ଚାଲିଥିଲା ।

ଗଣତନ୍ତ୍ର ଦିବସ ଇତିହାସରେ ପ୍ରଥମ ଥର ପାଇଁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା । ଯେତେବେଳେ ଗଣତନ୍ତ୍ରର ଏହି ପର୍ବ ପାଳନରେ ୭୫ଟି ଯୁଦ୍ଧ ବିମାନ ସାମିଲ ହୋଇ ଆକାଶରେ କଳା କୌଶଳ ପ୍ରଦର୍ଶନ କରୁଥିଲେ । ସବୁଠାରୁ ବଡ କଥା ହେଉଛି, ବର୍ଡ-ଆଇ ଭିୟୁ ଅର୍ଥାତ୍ ବିହଙ୍ଗାବଲୋକନ ସ୍ଥିତିରୁ ଏହାକୁ ଦେଖିପାରୁଥିଲେ ଲୋକେ । ଏବଂ ଏହାର ଭିଡିଓ ଉତ୍ତୋଳନ କରୁଥିବା ବିମାନର କକପିଟରୁ ସିଧାସଳଖ ଲାଇଭ୍ ଚାଲିଥିଲା । ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ଭାରତ ତାର ୭୩ତମ ଗଣତନ୍ତ୍ର ଦିବସରେ ଏଭଳି ଶକ୍ତି ପ୍ରଦର୍ଶନ କରିଥିଲା ।

ବିଶ୍ୱ ଦେଖିଲା ଭାରତର ସୈନ୍ୟଶକ୍ତି । ରାଜପଥରେ ଗର୍ଜିଲେ ରାଫେଲ, ଜାଗୁଆର, ସୁଖୋଇ । ଦିଲ୍ଲୀ ରାଜପଥରେ ସାଧାରଣତନ୍ତ୍ର ଦିବସରେ ଆୟୋଜିତ ପରେଡରେ ପ୍ରଥମ ଥର ପାଇଁ ସାମିଲ ହୋଇଛି ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଲଢୁଆ ଯୁଦ୍ଧ ବିମାନ ରାଫେଲ୍ । ବିନାଶ ଫର୍ମେସନ ବା ଧନୁ ଆକୃତିରେ ଉଡାଣ କରି ରାଫେଲ ବିମାନ ଆକାଶରେ ତାହାର ଦବଦବା ଜାହିର କରିଛି । ପରେଡରେ ଭାରତର ସୈନ୍ୟ ଶକ୍ତି ଓ ସାଂସ୍କୃତିକ ପରମ୍ପରାର ଝଲକ ମଧ୍ୟ ଦେଖିବାକୁ ମିଳିଛି ।

ସ୍ୱତନ୍ତ୍ର ଟୋପି, ନୌସେନା ଶୈଳୀରେ ସାଲ୍ୟୁଟ୍ । ଗଣତନ୍ତ୍ର ଦିସବରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇ ଜାନୁୟାରୀ ୨୬ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ରାଜପଥରେ ରାଷ୍ଟ୍ରପତି ପତାକା ଉତ୍ତୋଳନ କରିବା ସମୟରେ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସମୟରେ ଜାତୀୟ ପତାକାକୁ ନୌସେନା ଢଙ୍ଗରେ ସଲାମ ଦେଇଥିଲେ । ତେବେ ଚର୍ଚ୍ଚା ସାଉଁଟିଛି ପ୍ରଧାନମନ୍ତ୍ରୀ ପିନ୍ଧିଥିବା ଉତ୍ତରାଖଣ୍ଡି ଟୋପି ଓ ବେକରେ ପକାଇଥିବା ମଣିପୁରୀ ଗାମୁଛା । ଯାହାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କେହି କେହି ଏହାକୁ ଉତ୍ତରାଖଣ୍ଡ ଓ ମଣିପୁର ନିର୍ବାଚନ ସହ ମଧ୍ୟ ଯୋଡିଛନ୍ତି ।

ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷଙ୍କ ଘୋଡାକୁ ଦିଆଗଲା ଅବସର । ‘ଚିଫ ଅଫ ଆର୍ମି କମେଣ୍ଡେସନ’ ସମ୍ମାନରେ ସମ୍ମାନୀତ । ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକ ବାହିନୀରେ ଚାର୍ଜର ଭାବେ ସାମିଲ ବିରାଟ ନାମକ ଘୋଡାକୁ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇ ଅବସର ଦିଆଯାଇଛି । ଉଲ୍ଲେଖନୀୟ ସେବା ପାଇଁ ବିରାଟକୁ ‘ଚିଫ୍ ଅଫ୍ ଆର୍ମି କମେଣ୍ଡେସନ’ ସମ୍ମାନରେ ସମ୍ମାନୀତ କରାଯାଇଛି । ତିନି ଜଣ ରାଷ୍ଟ୍ରପତିଙ୍କୁ ସେବା ଯୋଗାଇଥିବା ବିରାଟ ହେଉଛି ପ୍ରଥମ ଘୋଡା ଯାହାକୁ ଏହି ସୈନ୍ୟ ସମ୍ମାନ ଦିଆଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ, ବିରାଟକୁ ଆଉଁସି ଦେଉଥିବା ଦେଖିବାକୁ ମିଳିଛି । ପାଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ ।