୮ ମାସ ଧରି ୪ଶହ କୋଚିଂ ସେଣ୍ଟର୍‌ରେ ତାଲା : ଜୀବିକା ହରାଇଛନ୍ତି ଯୁବପିଢ଼ି, ଅନ୍‌ଲାଇନ୍‌ ପଢ଼ାକୁ ୫୦% ବୁଝିିପାରୁ ନାହାନ୍ତି

244

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦେଖି ଗତ ମାର୍ଚ୍ଚରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସ୍କୁଲ ଓ କଲେଜ ଦୀର୍ଘ ୮ମାସ ଧରି ବନ୍ଦ ଥିବାବେଳେ ସହରର ସମସ୍ତ ଘରୋଇ କୋଚିଂ ସେଣ୍ଟର୍‌ରେ ବି ତାଲା ପଢିଛି । ସହରର ୭୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ପାଠପଢା ଅପେକ୍ଷା କୋଚିଂ ସେଣ୍ଟର୍‌ର ପଢ଼ାକୁ ଅଧିକ ଗୁରୁତ୍ବ ଦେଇଥାନ୍ତି । ଏବେ ସେଣ୍ଟରଗୁଡିକ ଅନ୍‌ଲାଇନ୍‌ରେ ପିଲାଙ୍କୁ ପଢ଼ାଉଥିବା ବେଳେ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଖୁସି ନାହାନ୍ତି । ସେପଟେ ଘରୋଇ ଶିକ୍ଷାଦାନକୁ ଜୀବିକା କରିଥିବା ଅନେକ ଶିକ୍ଷିତ ଯୁବକ ଓ ଯୁବତୀଙ୍କ ସହିତ କୋଚିଂ ସେଣ୍ଟରଗୁଡିକ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଏପରିକି ଅନେକ ସେଣ୍ଟର୍‌ ମାଲିକ ଘରଭଡ଼ା ଦେବାରେ ବି ସମସ୍ୟାରେ ପଡ଼ିଥିବା କହିଛନ୍ତି ।

ମହାମାରୀ ପାଇଁ ରାଜ୍ୟ ସରକାର ଚଳିତବର୍ଷ ମାର୍ଚ୍ଚ ୧୪ରୁ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିଛନ୍ତି । ଏଥିରେ ଛାତ୍ରଛାତ୍ରୀଙ୍କ ପଢ଼ାରେ ବିଶେଷ କ୍ଷତି ହୋଇଛି । ସେପଟେ ସଂକ୍ରମଣକୁ ଦେଖି ସହରର ସମସ୍ତ କୋଚିଂ ସେଣ୍ଟର୍‌ ବି ବନ୍ଦ ରହିଛି । ସହରରେ ୪ଶହରୁ ଅଧିକ ଘରୋଇ କୋଚିଂ ସେଣ୍ଟର୍‌ ଥିବାବେଳେ ଏଥିରେ ୭୦ ପ୍ରତିଶତ ପିଲା ପଢ଼ିଥାନ୍ତି । ସ୍କୁଲ ଓ କଲେଜର କ୍ଲାସ୍‌ରୁମ ଶିକ୍ଷା ଅପେକ୍ଷା ଆଜିର ଛାତ୍ରଛାତ୍ରୀ କୋଚିଂ ସେଣ୍ଟର୍‌ର ପଢ଼ାକୁ ଅଧିକ ପସନ୍ଦ କରିଥାନ୍ତି । ସେଣ୍ଟରଗୁଡିକ ସ୍କୁଲ ଓ କଲେଜର ପଢ଼ାକୁ ଛାତ୍ରଛାତ୍ରୀଙ୍କ ମନେ ରଖିବା ପାଇଁ ଅଧିକ ସରଳ ଓ ସହଜ କରିଥାନ୍ତି । ମାତ୍ର ଏବେ ସ୍କୁଲ ଓ କଲେଜ ସହିତ ସମସ୍ତ କୋଚିଂ ସେଣ୍ଟର୍‌ଗୁଡିକ ବନ୍ଦ ରହିଛି ।

ପିଲାମାନଙ୍କୁ ସେଣ୍ଟର୍‌ ପକ୍ଷରୁ ଅନ୍‌ଲାଇନ୍‌ରେ ପଢ଼ାଯାଉଛି । ମାତ୍ର ତାହା କ୍ଲାସରୁମ୍‌ ପଢ଼ା ସହିତ ସମାନ ହେଉ ନାହିଁ ବୋଲି ସେଣ୍ଟର୍‌ଗୁଡିକ ପକ୍ଷରୁ କୁହାଯାଇଛି । ଏଥିରେ ଶହେ ପିଲାଙ୍କ ମଧ୍ୟରୁ ମାତ୍ର ୨୦/୩୦ ଜଣ ଛାତ୍ରଛାତ୍ରୀ ପଢ଼ାଯାଉଥିବା ପାଠର ୭୦ରୁ ୮୦ ପ୍ରତିଶତ ବୁଝି ପାରୁଥିବାବେଳେ ବାକି ପିଲା ୪୦ରୁ ୫୦ ପ୍ରତିଶତ ପାଠ ବୁଝି ପାରୁଛନ୍ତି । ଅନ୍ୟପଟେ ଅନ୍‌ଲାଇନ୍ ପଢା ଯୋଗୁଁ ସେଣ୍ଟରଗୁଡିକର ଆୟ ୩୦ରୁ ୫୦ ପ୍ରତିଶତ ହ୍ରାସ ପାଇଛି । ଘରୋଇ ସେଣ୍ଟରଗୁଡିକରେ ଶିକ୍ଷାଦାନ କରି ଶତାଧିକ ଶିକ୍ଷିତ ବେକାର ଯୁବକ ଓ ଯୁବତୀ ସେମାନଙ୍କ ଜୀବିକା ପାଇଥିଲେ ।

ଏବେ ସେଣ୍ଟରଗୁଡିକର ୮୦ ପ୍ରତିଶତ କର୍ମଚାରୀଙ୍କ ଭବି‌ଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ୮ମାସ ଧରି ସ୍କୁଲ ଓ କଲେଜ ବନ୍ଦ ଥିବାବେଳେ ଏଥିରେ ଶିକ୍ଷା ‌କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଲାଣି। ରାଜ୍ୟ ସରକାର ଆସନ୍ତା ନଭେମ୍ବରରେ ପ୍ରଥମ ପର୍ଯ୍ୟାୟରେ କୋଭିଡ୍‌ କଟକଣା ମଧ୍ୟରେ ଦଶମ ଓ ଯୁକ୍ତଦୁଇ ଶେଷବର୍ଷର ପିଲାଙ୍କ ପାଇଁ ଶିକ୍ଷା ଅନୁଷ୍ଠାନ ଖୋଲିବାକୁ ଦାବି ହୋଇଛି ।