ଚାକିରି ଉପରେ କରୋନା ମାଡ । ବେରୋଜଗାରର ସତ ସାମ୍ନାକୁ ଆଣିଲା ସିଏମଆଇଇର ରିପୋର୍ଟ । ଜାନୁଆରିରୁ-ମେ’ ଭିତର ଚାକିରୀ ହରାଇଲେ ୨କୋଟି ୨୭ଲକ୍ଷ ଲୋକ

243

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ଦେଶରେ ସର୍ବାଧିକ ଧନଜୀବନ ହାନି କରିଛି । ଲୋକେ ରୋଜଗାର ହରାଉଥିବା ନେଇ ସାଂଘାତିକ ସତ ସାମ୍ନାକୁ ଆଣିଛି ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ବା ସିଏମଆଇଇର ରିପୋର୍ଟ । ଗତ ମେ ମାସରେ ସର୍ବାଧିକ ଜୀବନ ସହ ଜୀବିକା ମଧ୍ୟ ଛଡାଇ ନେଇଛି ମହାମାରୀ ଭୁତାଣୁ । କେବଳ ମେ ମାସରେ (୧.୫) ଦେଢ କୋଟି ଲୋକ ଚାକିରୀ ହରାଇଛନ୍ତି । ଯାହା ବର୍ଷକ ଭିତରେ ସବୁଠୁ ଅଧିକ । ସେହିପରି ମେ ଶେଷ ସୁଦ୍ଧା ସହରାଂଚଳରେ ବେକାରୀ ହାର ୧୮ ପ୍ରତିଶତକୁ ଛୁଇଁଛି । ଏପ୍ରିଲ ଓ ମେ ମାସରେ ବହୁ ଦିନ ମଜୁରିଆ କାମ ପାଇ ନାହାନ୍ତି । ମେ ମାସରେ ଗ୍ରାମାଚଂଳରେ ବେକାରୀ ହାର ୯.୬ ପ୍ରତିଶତକୁ ଖସି ଆସିଛି ।

ସିଏମଆଇଇର ରିପୋର୍ଟ ଅନୁସାରେ ୨୦୨୧ ଜାନୁୟାରୀରୁ ଲଗାତାର ୪ ମାସ ହେଲା ରୋଜଗାର କମିବାରେ ଲାଗିଛି । ୨୦୨୧ ଏପ୍ରିଲରେ ୩୯ କୋଟି ୮୦ ହଜାର ଲୋକ ଚାକିରି କରୁଥିଲେ । କିନ୍ତୁ ମେ ୨୦୨୧ରେ ୩୭ କୋଟି ୫୫ ଲକ୍ଷ ଲୋକଙ୍କ ପାଖରେ ଚାକିରୀ ରହିଥିଲା । ଅର୍ଥାତ ମାସକ ଭିତରେ ପ୍ରାୟ ଦେଢ କୋଟି ଲୋକ ଚାକିରୀ ହରାଇଛନ୍ତି । ଅର୍ଥାତ୍ ଗୋଟିଏ ମାସରେ ରୋଜଗାର ହାର ୩.୯ ପ୍ରତିଶତ ହ୍ରାସ ପାଇଛି । ୨୦୨୧ ଜାନୁଆରିରେ ୪୦ କୋଟି ୭ ଲକ୍ଷ କର୍ମଜୀବୀ ଥିବା ବେଳେ ମେ ଶେଷ ସୁଦ୍ଧା ୩୭ କୋଟି ୫୫ ଲକ୍ଷ ଲୋକଙ୍କ ପାଖରେ ଚାକିରି ରହିଛି । ଅର୍ଥାତ ଜାନୁଆରିରୁ ମେ ଶେଷ ସୁଦ୍ଧା ୨କୋଟି ୫୩ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି । ସେଥିମଧ୍ୟରୁ କେବଳ ଏପ୍ରିଲ-ମେ ମାସରେ ୨କୋଟି ୨୭ ଲକ୍ଷ ଲୋକ ଚାକିରୀ ହରାଇଥିବା କହିଛନ୍ତି ସିଏମଆଇଇ ସିଇଓ ମହେଶ ବ୍ୟାସ ।

କୋଭିଡ ସଂକ୍ରମଣ ଯୋଗୁଁ ଏପ୍ରିଲ ଏବଂ ମେ ମାସରେ ସର୍ବାଧିକ ଲୋକ ଚାକିରି ହରାଇଛନ୍ତି । ଆଉ ଏହାର ପଛରେ ଥିବା କାରଣ ୨ଟି ମୁଖ୍ୟ କାରଣ ଦର୍ଶାଇଛି ସିଏମଆଇଇ ରିପୋର୍ଟ । ଦେଶର ଅଧିକାଂଶ ରାଜ୍ୟରେ ବିଭିନ୍ନ ଅବଧିର ଲକଡାଉନ କଟକଣା ଲାଗୁହେଲା ଯାହା ଅର୍ଥନୈତିକ ଗତିବିଧିରେ ଅଚଳାବସ୍ଥା ସୃଷ୍ଟି କଲା । ଯାହାର ସିଧା ସଳଖ ପ୍ରଭାବ ରୋଜଗାର ଉପରେ ପଡିଲା ।
ସଂସ୍ଥା ଆକଳନ କରିଛି, ଆଗକୁ ଅର୍ଥନୀତିରେ ସୁଧାର ଆସିଲେ ବେକାରୀଙ୍କ ସଂଖ୍ୟା କମିପାରେ । ଦେଶର ବିଭିନ୍ନ ସ୍ଥାନରେ ତାଲାବନ୍ଦ ଯୋଗୁଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ନହେବା, ଅଧିକାଂଶ କମ୍ପାନୀ ନୂଆ ନିଯୁକ୍ତି ନ ଦେବା ଯୋଗୁଁ ବେକାରୀ ସମସ୍ୟା ବଢିଛି । ମହାମାରୀ ଯୋଗୁଁ ଦେଶରେ ପ୍ରାୟ ୯୭ ପ୍ରତିଶତ ପରିବାରଙ୍କ ଆୟ ହ୍ରାସ ପାଇଛି ।