ତରଳୁଛି ଗ୍ଲାସିୟର ବରଫ, ଶୁଖିଯିବ ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀ, ଚିନ୍ତା ବଢ଼ାଇଲା ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଚେତାବନୀ

164

କନକ ବ୍ୟୁରୋ : ସାରା ବିଶ୍ୱରେ ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତନ ଏକ ବଡ଼ ଆହ୍ୱାନ ଭାବେ ଛିଡ଼ା ହୋଇଛି । ଗତ କିଛି ବର୍ଷ ମଧ୍ୟରେ ଅନେକ ଦେଶରେ ଅତ୍ୟଧିକ ଗରମ ଓ ଅଦିନିଆ ବର୍ଷା ଏବଂ ବନ୍ୟା ପରିସ୍ଥିତି ସୃଷ୍ଟ ହୋଇଛି । ଭାରତରେ ମଧ୍ୟ ଗତ କିଛି ବର୍ଷରେ ଅନେକ ରାଜ୍ୟରେ ଅଦିନିଆ ବର୍ଷା ଓ ଅତ୍ୟଧିକ ତାପମାତ୍ରା ବୃଦ୍ଧି ଘଟିଛି । ଏହାରି ଭିତରେ ମିଳିତ ଜାତିସଂଘର ମହାସଚିବ ଆଂଟୋନିଓ ଗୁଟେରେସ୍ ଭାରତର ନଦୀ ଗୁଡ଼ିକ ପାଇଁ ଏକ ବଡ଼ ଚେତାବନୀ ଦେଇଛନ୍ତି । ଆଗାମୀ କିଛି ଦଶନ୍ଧି ମଧ୍ୟରେ ସିନ୍ଧୁ, ଗଙ୍ଗା ଓ ବ୍ରହ୍ମପୁତ୍ର ଭଳି ପ୍ରମୁଖ ହିମାଳୟ ନଦୀ ଜଳ ଓ ପ୍ରବାହ ସ୍ତର ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ଗୁଟେରେସ୍ ଚେତାବନୀ ଦେଇଛନ୍ତି । ଯେଉଁଭଳି ଭାବେ ଗ୍ଲାସିୟର ବା ହିମଖଣ୍ଡ ଏବଂ ବରଫ ସ୍ତର ତରଳିବାରେ ଲାଗିଛି, ତାହା ଚିନ୍ତାଜନକ । ହିମାଳୟର ସଂରକ୍ଷଣ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗୁଟେରେସ୍ କହିଛନ୍ତି ଯେ ପୃଥିବୀ ପୃଷ୍ଠରେ ଜୀବନ ପାଇଁ ଗ୍ଲାସିୟର ବେଶ୍ ମହତ୍ୱପୂର୍ଣ୍ଣ । ଗ୍ଲାସିୟରକୁ ଜଳର ସବୁଠାରୁ ବଡ଼ ଉତ୍ସ କୁହାଯାଏ । ବିଶ୍ୱର ୧୦ ପ୍ରତିଶତ ଅଂଚଳରେ ହିମ ପ୍ରବାହ ରହିଛି । ଭାରତ ସମେତ କିଛି ଦେଶରେ ଗ୍ଲାସିୟର ବରଫ ତରଳିବାରେ ଲାଗିଛି । ଏହା ଜଳସେଚନ ସହ ପିଇବା ମଧ୍ୟ ବ୍ୟବହାର କରାଯାଇଥାଏ । ଭାରତରେ ଗଙ୍ଗା ଭଳି ନଦୀକୁ ପାନୀୟ ଜଳ ସହିତ ଜଳସେଚନ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଗୁଟେରେସ ଆହୁରି କହିଛନ୍ତି, ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଗ୍ଲୋବାଲ ୱାର୍ଣ୍ଣିଂ ବିପଦପୂର୍ଣ୍ଣ ସ୍ତରକୁ ଗତି କରୁଛି । ଏପରି ସ୍ଥିତିରେ ଯଦି ଗ୍ଲାସିୟର ବରଫ ସ୍ତର ତରଳେ, ତାହେଲେ ଆଗକୁ ବିପଦ ମାଡ଼ି ଆସିବ ବୋଲି ଗୁଟେରେସଙ୍କ ଚେତାବନୀରୁ ସ୍ପଷ୍ଟ ହେଉଛି ।