ପୁରୀ ଟ୍ରେନ୍ ପୋଡି ଘଟଣାରେ ଆସିଲା ସିଜେଏମ୍ କୋର୍ଟଙ୍କ ରାୟ : ଜଣେ ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ, ୭୫ ହଜାର ୫୦୦ ଟଙ୍କା ଜରିମାନା ; ୨୦୧୫ ମସିହାରେ ଷ୍ଟେସନରେ ଟ୍ରେନରେ ଅଭିଯୁକ୍ତ ଲଗାଇଥିଲା ନିଆଁ

174

କନକ ବ୍ୟୁରୋ : ୨୦୧୫ ମସିହା ପୁରୀ ପୋଡ଼ି ଘଟଣାରେ ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ । ଟ୍ରେନ୍ ପୋଡ଼ି ଘଟଣାରେ ସିଜେଏମ କୋର୍ଟଙ୍କ ବିଚାରପତି ଡ଼କ୍ଟର ଇନ୍ଦୁ ଶର୍ମା ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନଙ୍କୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ସଶ୍ରମ କାରାଦଣ୍ଡର ଆଦେଶ ଦେଇଛନ୍ତି । ଏହା ସହ ୭୫ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁଚନା ଅନୁସାରେ ୨୦୧୫ ନଭେମ୍ବର ୧୨ ତାରିଖରେ ପୁରୀ ରେଳ ଷ୍ଟେସନରେ ଟ୍ରେନ୍ ପୋଡ଼ି ହୋଇଥିଲା । ଏହି ଘଟଣାରେ ପୁରୀ-ତିରୁପତି ଏକ୍ସପ୍ରେସ, ପୁରୀ-ଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ୍ ଓ ପୁରୀ ହାୱଡ଼ା ଏକ୍ସପ୍ରେସ ଟ୍ରେନର ୫ଟି ବଗି ପୋଡ଼ି ନଷ୍ଟ ହୋଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ରେଳବାଇର ବହୁତବଡ଼ କ୍ଷତି ହୋଇଥିଲା ।

ରେଳବାଇ ପୋଲିସ ଏବଂ ଜିଆରପି ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ରାମଚନ୍ଦ୍ରନକୁ ଗିରଫ କରିଥିଲେ । ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରା ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ଘଟଣାରେ ସନ୍ତ୍ରାସବାଦୀ ଲିଙ୍କ ଥିବା ନେଇ ବୟାନ ମିଳିବା ପରେ ଏହାର ତଦନ୍ତ ଦାୟିତ୍ୱ ଏନଆଇଏ ନେଇଥିଲା ।