ପଲିଥିନ୍ ପ୍ରଭାବରେ ପ୍ରଦୁଷିତ ହେଉଛି ଯାଜପୁର ସହର । ଏଣେତେଣେ ପଡିଛି ହଜାର ହଜାର ପଲିଥିନ୍ ।

63

କନକ ବ୍ୟୁରୋ: ଦିନକୁ ଦିନ ପ୍ରଦୁଷିତ ହେଉଛି ପରିବେଶ । ମଣିଷର ଆବଶ୍ୟକତା ବୃଦ୍ଧି ସହିତ ଆଧୁନିକ ଜୀବନ ଶୈଳୀ ଯୋଗୁଁ ପ୍ରଦୁଷଣର ମାତ୍ରା ବଢୁଛିି । ଜଳ, ସ୍ଥଳ ଓ ବାୟୁ ସବୁ ପ୍ରଦୂଷିତ ହୋଇଗଲାଣି । ପ୍ରଦୁଷଣର ଅନେକ କାରଣ ମଧ୍ୟରୁ ପଲିଥିନ ହେଉଛି ଅନ୍ୟତମ । ତେଣୁ ପଲିଥିନ ବ୍ୟବହାରକୁ ସରକାର ବାରଣ କରିଛନ୍ତି । କିନ୍ତୁ ଯାଜପୁର ସହରରେ ଏଣେତେଣେ ହଜାର ହଜାର ପଲିଥିନ ପଡି ରହିଛି ।

ନାଳ, ନର୍ଦ୍ଦମା, ସହର, ଚାରିଆଡେ ପଡିଛି କୁଢ କୁଢ ପଲିଥିନ୍ । ସହରୀ ସଭ୍ୟତାରେ ପଲିଥିନର ବ୍ୟବହାର ବଢ଼ିଛି । ନଷ୍ଟ ହେଉନଥିବା ପଲିଥିନ୍ ବ୍ୟବହାରକୁ ସରକାର ବ୍ୟାନ କରିଛନ୍ତି । କିନ୍ତୁ ସରକାରୀ ନିୟମକୁ ଅଣଦେଖା କରି ପ୍ରତିଦିନ ହଜାର ହଜାର ପଲିଥିନ ବ୍ୟବହାର କରୁଛନ୍ତି ଏବଂ କାମ ସରିଯିବା ପରେ ରାସ୍ତା କଡ ଓ ନାଳରେ ଫିଙ୍ଗି ଦେଉଛନ୍ତି ।

ପଲିଥିନ ଗୁଡିକ ନାଳରେ ପଡୁଥିବାରୁ ଜଳ ନିଷ୍କାସନରେ ସମସ୍ୟା ହେଉଛି । ମାଟିର ଉବର୍ରତା ହ୍ରାସ ପାଉଛି । ବୁଲା ଗାଇଗୋରୁ ପଲିଥିନରେ ଥିବା ଖାଦ୍ୟ ଖାଇବା ସହ ପଲିଥିନ ମଧ୍ୟ ଖାଇ ଦେଉଛନ୍ତି । ଫଳରେ ସେମାନେ ରୋଗରେ ପଡୁଛନ୍ତି । ସବୁ ସମସ୍ୟାକୁ ନଜରରେ ରଖି ପଲିଥିନର ବ୍ୟବହାର ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ପୌରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ସ୍ୱତନ୍ତ୍ର ବଜେଟ ରହିଛି । କିନ୍ତୁ ସଠିକ୍ ଢଙ୍ଗରେ କୌଣସି କାର୍ଯ୍ୟକ୍ରମ ହେଉନଥିବାରୁ ପଲିଥିନ ବ୍ୟବହାର ଉପରେ ରୋକ ଲାଗିପାରୁନାହିଁ । ପଲିଥିନ ବ୍ୟବହାର ଓ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇ, ସରକାରୀ ସ୍ତରରେ ସଚେତନତା ଓ କଡା ଦଣ୍ଡର ବ୍ୟବସ୍ଥା କରାଗଲେ ପରିବେଶ ସୁରକ୍ଷା କରାଯାଇପାରିବ ବୋଲି ମତ ପ୍ରକାଶ ପାଉଛି ।