ଦୀପର ଆଲୋକରେ ଝଲସିଲା ଅଯୋଧ୍ୟାନଗରୀ : ସରଜୁ ତଟରେ ୬ ଲକ୍ଷ ୬ ହଜାରରୁ ଅଧିକ ଦୀପଜାଳି ଯୋଗୀ ସରକାରଙ୍କ ଗିନିଜ ବୁକ୍ ଅଫ୍ ରେକର୍ଡ; ସୀମାରେ ଜବାନ ଜାଳିଲେ ଦୀପ 

221

କନକ ବ୍ୟୁରୋ : ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧକାର ଉପରେ ବିଜୟ ହାସଲର ପର୍ବ ଦୀପାବଳି । ଏହି ଅବସରରେ ଦୀପ ଆଲୁଅରେ ଝଲସିଛି ରାମଙ୍କ ନଗରୀ ଅଯୋଧ୍ୟା । ଉତରପ୍ରଦେଶର ଅଯୋଧ୍ୟା ସହରରୁ ନେଇ ରାମ ଜନ୍ମଭୂମୀ ସବୁ ହୋଇଉଠିଛି ଆଲୋକମୟ । ତେବେ ସରଜୁ ନଦୀ ତଟରେ ଆଲୋଜନ ହୋଇଛି ଦୀପୋତ୍ସବ । ଏକାଠି ଜଳିଛି ୬ ଲକ୍ଷ ୬ ହଜାରରୁ ଅଧିକ ଦୀପ । ଯାହାକି ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ୬ ଲକ୍ଷରୁ ଅଧିକ ସଂଖ୍ୟାରେ ସାମୁହିକ ଦୀପ ପ୍ରଜ୍ୱଳନରେ ଝଲସି ଉଠିଛି ପୁରା ଅଯୋଧ୍ୟା ନଗରୀ । ଦୀପର ଆଲୋକ ସହିତ ରଙ୍ଗ ବେରଙ୍ଗର ଆଲୋକରେ ଉତ୍ସବ ମୁଖର ଅଯୋଧ୍ୟା ନଗରୀ ।

ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାମଲଲାଙ୍କ ଦରବାରରେ ପ୍ରଥମ ଦୀପ ଲଗାଇ ଦୀପତ୍ସୋବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ପରେ ଜଳି ଉଠିଥିଲା ୬ ଲକ୍ଷ ୬ ହଜାର ୫୬୯ଟି ଦୀପ । ସରଜୁ ନଦୀର ତଟରୁ ନେଇ ଅଯୋଧ୍ୟା ନଗରୀ ଯାଏଁ ଲଂବିଥିଲା ଏହି ଦୀପର ଆଲୋକମାଳା । ଡ୍ରୋନ୍ ଜରିଆରେ ଏହି ଦୀପକୁ ଗଣନା କରାଯିବା ପରେ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ଏହା ସ୍ଥାନ ଦିଆଯାଇଥିବା ସୂଚନା ମିଳିଛି । ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ସରଜୁ ନଦୀ କୂଳରେ ଆଳତି କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭର୍ଚ୍ରୁଆଲ ଦିୱାଲୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଭକ୍ତମାନେ । ଏହି ଅବସରରେ ଆକାଶ ମାର୍ଗରୁ ଅଯୋଧ୍ୟାର ଦୃଶ୍ୟ ବେଶ୍ ମନୋରମ ଦିଶୁଥିଲା । ସୁନ୍ଦର ଆଲୋକମାଳା, ତା ସହିତ ଝିଲମିଲ୍ ହୋଇ ଜଳୁଥିବା ୬ ଲକ୍ଷରୁ ଅଧିକ ଦୀପର ଆଲୋକ ସୃଷ୍ଟି କରୁଥିଲା ଅପୂର୍ବ ଶୋଭା ।

ଗତବର୍ଷ ଦୀପାବଳୀ ଅବସରରେ ଏଠାରେ ପ୍ରଭୁ ଶ୍ରୀରାମଙ୍କ ଉଦେଶ୍ୟରେ ୪ ଲକ୍ଷ ୧୦ ହଜାର ଦୀପ ପ୍ରଜ୍ୱଳିତ କରାଯାଇଥିଲା । ଚଳିତ ବର୍ଷ ୬ ଲକ୍ଷ ୬ ହଜାର ୫୬୯ଟି ଦୀପ ପ୍ରଜ୍ୱଳନ କରି ନିଜ ରେକର୍ଡକୁ ନିଜେ ଭଂଗ କରିଛନ୍ତି ଅଯୋଧ୍ୟା ପ୍ରଶାସନ । ଦୀପାବଳୀରେ ୭୯୧ ପୌରାଣିକ ସ୍ଥଳ ସମେତ ଘର ଓ କାର୍ଯ୍ୟାଳୟରେ ଏହି ଲକ୍ଷାଧିକ ସଂଖ୍ୟକ ଦୀପ ଜଳାଯାଉଛି । ୩ ଦିନ ଧରି ଏହି ଦୀପୋତ୍ସବ କାର୍ଯ୍ୟକ୍ରମ ଜାରି ରହିବ । ଏହି ଉତ୍ସବକୁ ସଫଳ କରିବାକୁ ପ୍ରାୟ ୮ ହଜାର ସ୍ୱେଛାସେବୀ ନିୟୋଜିତ ହୋଇଛନ୍ତି ।