ପ୍ରାଣ ପ୍ରତିଷ୍ଠାକୁ ରହିଲା ଆଉ ମାତ୍ର ଗୋଟିଏ ଦିନ । ରାମମୟ ହେଲା ଅଯୋଧ୍ୟା ନଗରୀ ।

59

କନକ ବ୍ୟୁରୋ: ରାମମୟ ଅଯୋଧ୍ୟା । ସବୁରି ମୁହଁରେ ଜୟ ଶ୍ରୀରାମ । କିଏ ଭଜନ ଗାଈ ତ କିଏ ନାଚ ମାଧ୍ୟମରେ ନିଜର ଭକ୍ତି ପରିବେଷଣ କରୁଛି । ଭଗବାନ ଶ୍ରୀରାମଙ୍କ ଦୁର୍ଲଭ ଦର୍ଶନ କରିବା ପାଇଁ କୋଣ ଅନୁକୋଣରୁ ଭକ୍ତ ଆସି ଅଯୋଧ୍ୟାରେ ଭିଡ ଜମାଇଲେଣି । ଆଉ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଅପେକ୍ଷା କରିଛନ୍ତି । ସମୟ ଯେତେ ପାଖେଇ ଆସୁଛି, ସେତେ ବଢୁଛି ଉକ୍ରଣ୍ଠା ।

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ । ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଠାରୁ ଆରମ୍ଭ କରି, ଝଲସୁଛି ପୂରା ଅଯୋଧ୍ୟା । ୧୧ଶହ ଟନ୍ ଫୁଲରେ ସଜେଇ ହେବ ରାମନଗରୀ । ଫୁଲ ସଜାଇବା କାମ ମଧ୍ୟ ଆରମ୍ଭ ହୋଇସାରିଥିବା ବେଳେ ରବିବାର ସୁଦ୍ଧା ସରିବ ସବୁ ସାଜସଜ୍ଜା ।

ତେବେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା କର୍ମକାଣ୍ଡର ସବୁ ପୂଜା ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ୨୨ ତାରିଖ ଅପରାହ୍ଣ ୧୨ଟା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ଶେଷ ହେବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ଦିର ଯାଇ ପୂଜାର୍ଚ୍ଚନା କରୁଛନ୍ତି । ଏହିକ୍ରମରେ ତାମିଲନାଡୁର ତିରୁଚିରାପଲ୍ଲିରେ ରଙ୍ଗନାଥସ୍ୱାମୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଭଗବାନ ବିଷ୍ଣୁଙ୍କ ପ୍ରତି ସମର୍ପିତ ଏହି ମନ୍ଦିରକୁ ପରିଦର୍ଶନ ବେଳେ ମୋଦୀ ସେଠାକାର ପାରମ୍ପରିକ ପୋଷାକ ପରିଧାନ କରିଥିଲେ । ଏହାପରେ ରାମେଶ୍ୱରମରେ ଶ୍ରୀଅରୁଲମିଗୁ ରାମନାଥସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସମୁଦ୍ରରେ ବୁଡ଼ ପକାଇଛନ୍ତି ।

ଅନ୍ୟପଟେ ୨୨ ତାରିଖ ପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିବ ଅଯୋଧ୍ୟା ନଗରୀ । ବ୍ଲାକକ୍ୟାଟ୍ କମାଣ୍ଡୋ, ଅସ୍ତ୍ର ପରିବହନ ଗାଡ଼ି, ଆଣ୍ଟି ଡ୍ରୋନ୍ ସିଷ୍ଟମ, ଏଆଇ ଦ୍ୱାରା ପରିଚାଳିତ କମାଣ୍ଡୋ କଂଟ୍ରୋଲ ସିଷ୍ଟମ ସହ ହଜାର ହଜାର ଯବାନ ଓ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ ।

ସେପଟେ ଓଡ଼ିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ଭଗବାନ ଶ୍ରୀରାମଙ୍କ ପାଇଁ ପ୍ରସ୍ତୁତି ଚାଲିଛି । ମଝି ଚିଲିକାରେ ଜୟ ଶ୍ରୀରାମ ନାରା । ଅଯୋଧ୍ୟା ମନ୍ଦିରର ଏକ ଅବିକଳ ପ୍ରତିକୃତିକୁ ଚିଲିକା ମଝିରେ ଡଙ୍ଗାରେ ବୁଲାଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଫତେପୁର ଗାଁର ବିଦେଶୀ ପଲେଇ । କେବଳ କାଗଜ ସାହାଯ୍ୟରେ ୫ଫୁଟ ଅଯୋଧ୍ୟା ମନ୍ଦିର କରି ଚର୍ଚ୍ଚାରେ ଅଛନ୍ତି ଏହି ଯୁବଶିଳ୍ପୀ ।