ସମାଧାନ ହେବ ଓଲିଉଡ କଳି: ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବାସନ୍ଦ ଉଠାଇବ ସିନେ ପ୍ରଯୋଜକ ସଂଘ

335

କନକ ବ୍ୟୁରୋ: ଓଲିଉଡ କଳିକୁ ନେଇ ଓଡ଼ିଶା ଚଳଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବିବାଦର ସମାଧାନ କରାଯିବା ନେଇ ବୈଠକ ଶେଷ ହେବା ପରେ ସୂଚନା ଦେଇଛନ୍ତି କୁନା ତ୍ରିପାଠୀ । ଏହାସହ ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ପ୍ରଯୋଜକ ଟୁଟୁ ନାୟକ ବ୍ୟାନ୍ ହଟାଇଦେବେ ବୋଲି କହିଛନ୍ତି । ଏହି ବୈଠକରେ ଅଭିନେତା ଅରିନ୍ଦମ, ଶ୍ରୀତମ ଓ ପ୍ରଯୋଜକ ଟୁଟୁ ନାୟକ ଉପସ୍ଥିତ ଥିଲେ । ତେବେ ମନୋଜ ମିଶ୍ରଙ୍କୁ ଡକାଯାଇଥିଲେ ମଧ୍ୟ ସେ ଆସିନାହାନ୍ତି । ଅଭିନେତା ଅରିନ୍ଦମ ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ଫିଲ୍ମ ରାମ୍କୁ ବ୍ୟାନ୍ କରିବାକୁ ଯେଉଁଭଳି ଚେଷ୍ଟା କରାଯାଇଥିଲା ସେଥିପାଇଁ ସେ ପ୍ରଯୋଜକ ସଂଘ ନିକଟରେ ଅଭିଯୋଗ କରିଥିଲେ । ତାପରେ ମନୋଜ ମିଶ୍ରଙ୍କ ଉପରେ ବ୍ୟାନ୍ ଲଗାଯାଇଥିଲା । ଏହାପରେ ମନୋଜଙ୍କ ସହ ଯୋଗାଯୋଗ କରି ସମାଧାନ ପାଇଁ ଚେଷ୍ଟା କରିଥିଲେ । ଶେଷରେ ଆଜି ସମସ୍ତେ ଏଠାକୁ ଆସି ବ୍ୟାନ୍ ଉଠାଇବାକୁ ବି ରାଜି ହେଲୁ କିନ୍ତୁ ମନୋଜ ଏଠାକୁ ଆସିଲେ ନାହିଁ ବୋଲି ଅରିନ୍ଦମ କହିଛନ୍ତି । ରାଜ୍ୟ ସିନେ କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, ପ୍ରଯୋଜକ ସଂଘ ପକ୍ଷରୁ ଏଠାରେ ଉପସ୍ଥିତ ଥିବା ସଦସ୍ୟ ରାଜି ହୋଇଛନ୍ତି ବ୍ୟାନ୍ ହଟାଇବା ପାଇଁ ।