ଟଳିଲା ବଡ ବିପଦ : ଭାରତ ମହାସଗରରେ ଖସିଲା ଚୀନର ବୃହତ୍ତମ ରକେଟ୍, କିଛି ଦିନ ହେବ ରକେଟ ଉପରୁ ନିୟନ୍ତ୍ରଣ ହରାଇ ସାରିଥିଲା ଚୀନ୍ ।
କନକ ବ୍ୟୁରୋ : ରବିବାର ଦିନ ଚୀନର ବୃହତ୍ତମ ରକେଟ୍ ୧୮ ଟନ୍ ଓଜନ ବିଶିଷ୍ଟ ‘ଲଙ୍ଗ୍ ମାର୍ଚ ଫାଇଭ୍-ବି’ର ଧ୍ବଂସାବଶେଷ ଭାରତ ମହାସାଗର ମଧ୍ୟକୁ ଖସିପଡ଼ିଥିବା କଥା ଚୀନ ରାଷ୍ଟ୍ରାୟତ ଗଣମଧ୍ୟମସୂତ୍ରରୁ ପ୍ରକାଶ। ସମୁଦ୍ରରେ ପଡ଼ିବା ପୂର୍ବରୁ ପୃଥିବୀର ବାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ରକେଟର ବହୁ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
ବେଜିଙ୍ଗ୍ ସମୟ ସକାଳ ୧୦.୨୪ରେ ‘ଲଙ୍ଗ୍ ମାର୍ଚ ଫାଇଭ୍-ବି’ର ଅଂଶବିଶେଷ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିବା ପରେ ପୂର୍ବକୁ ୭୨.୪୭ ଡିଗ୍ରି ଦ୍ରାଘିମା ଓ ଉତ୍ତରକୁ ୨.୬୫ ଡିଗ୍ରି ଅକ୍ଷାଂଶ ମଧ୍ୟସ୍ଥ ସମୁଦ୍ର ଜଳରାଶିରେ ଖସିପଡ଼ିଛି ବୋଲି ‘ଚାଇନା ମ୍ୟାନଡ୍ ସ୍ପେସ୍ ଇଞ୍ଜିନିୟରିଙ୍ଗ୍ ଅଫିସ୍’ କହିଥିବା କଥା ଚୀନ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।
ଏହି ରକେଟର ଅଧିକାଂଶ ଉପକରଣ ପୃଥିବୀର ବାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ପୋଡ଼ି ଧ୍ବଂସ ହୋଇ ଯାଇଥିବା କଥା ମଧ୍ୟ ‘ଚାଇନା ମ୍ୟାନ୍ଡ୍ ସ୍ପେସ୍ ଇଞ୍ଜିନିୟରିଙ୍ଗ୍ ଅଫିସ୍’ କହିଛି। ମାଳଦ୍ବୀପପୁଞ୍ଜର ପଶ୍ଚିମ ପାଖ ସମୁଦ୍ରରେ ଏହି ରକେଟ୍ ଖସି ପଡ଼ିବାର ପ୍ରଭାବ ବି ଅନୁଭୂତ ହୋଇଛି।
ସମୁଦ୍ରର ଠିକ୍ କେଉଁ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିଛି ଏବଂ କେତେ ଅଞ୍ଚଳ ପର୍ଯ୍ୟନ୍ତ ରକେଟର ଭଗ୍ନାବଶେଷ ପଡ଼ିଛି ତାହା ପ୍ରକାଶ କରାଯିବ ନାହିଁ ବୋଲି ଏହି ରକେଟ୍କୁ ‘ଟ୍ରାକିଙ୍ଗ୍’ କରୁଥିବା ‘ୟୁ.ଏସ୍. ସ୍ପେସ୍ କମାଣ୍ଡ୍’ ତା’ର ୱେବ୍ସାଇଟ୍ରେ ଏକ ବିବୃତି ଦେଇ କହିଛି।