ତାଇୱାନ ସ୍ୱାଧିନତାକୁ ନେଇ ମୁହାଁମୁହିଁ ଦୁଇ ମହାଶକ୍ତି: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚେତାବନୀ ଦେଲେ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ

370

କନକ ବ୍ୟୁରୋ: ତାଇୱାନ ସ୍ୱାଧିନତା ପାଇଁ ସମର୍ଥନ କରୁଥିବା ଆମେରିକାକୁ ଚୀନର ଖୋଲା ଧମକ୍ । ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଦେଇଛନ୍ତି ଚେତାବନୀ । ରାଷ୍ଟ୍ରପଚି ଜିଙ୍ଗପିଙ୍ଗ କହିଛନ୍ତି ତାଇୱାନ ସ୍ୱାଧିନତାକୁ ସମର୍ଥନ କରିବା ନିଆଁରେ ଖେଳିବା ସହ ସମାନ । ହ୍ୱାଇଟ୍ ହାଉସ୍ରେ ଅନୁଷ୍ଠିତ ଭିଡିଓ ଲିଙ୍କ ସମ୍ମିଳନୀରେ ଏଭଳି ସିଧା ସିଧା କହିଛନ୍ତି ରାଷ୍ଟ୍ରପତି ଜିଙ୍ଗପିଙ୍ଗ ।

ମଙ୍ଗଳବାର ତାଇୱାନ ପ୍ରସଙ୍ଗରେ ଅନୁଷ୍ଠିତ ଅନ୍ଲାଇନ୍ ସମିଟ୍ରେ ଆମେରିକାକୁ ଏଭଳି ଧମକ୍ ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ । ତାଇୱାନ ପ୍ରସଙ୍ଗରେ ଅନୁଷ୍ଠିତ ଏହି ଶୀଖର ସମ୍ମିଳନୀର ଉଦ୍ଦେଶ୍ୟ ଆମେରିକା ଓ ଚୀନ ଦୁଇ ମହାଶକ୍ତି ମଧ୍ୟରେ ଉତ୍ପନ୍ନ ବିବାଦକୁ ଶେଷ କରିବା । ହେଲେ ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସାମ୍ନାରେ ଜିଙ୍ଗପିଙ୍ଗ ନିଜ ମନ୍ତବ୍ୟ ସଫା ସଫା ରଖି ଦେଇଛନ୍ତି । ଚୀନ ରାଷ୍ଟ୍ରପତି ନିଜ ବକ୍ତବ୍ୟରେ ଆମେରିକାକୁ ଦେଇଛନ୍ତି ଚେତାବନୀ । ସେ କହିଛନ୍ତି –

“ଆମେରିକାର କିଛି ଅଧିକାରୀ ଚୀନକୁ କାବୁ କରିବା ପାଇଁ ତାଇୱାନକୁ ପ୍ରୟୋଗ କରିବାକୁ ଚାହୁଁଛନ୍ତି.. ତେବେ ସେମାନଙ୍କ ପାଇଁ ମୁଁ କହିବାକୁ ଚାହୁଁଛି, ତାଇୱାନ ସ୍ୱାଧିନତାକୁ ସମର୍ଥନ କରିବା ନିଆଁରେ ଖେଳିବା ସହ ସମାନ.. ଆଉ ଯିଏ ନିଆଁରେ ଖେଳିବ ସେ ଜଳିଯିବ..”

ଦୁନିଆର ଦୁଇ ମହାଶକ୍ତି ଏବେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି । ତାଇୱାନ ସ୍ୱାଧିନତାକୁ ନେଇ ଆମେରିକା ଚୀନ ମଧ୍ୟରେ ଗତ କିଛି ଦିନ ହେବ ବିବାଦ ମୁଣ୍ଡ ଟେକିଛି । ଗତ କିଛି ଦିନ ତଳେ ଚୀନର ଲଢୁଆ ବିମାନ ତାଇୱାନର ସୀମାରେ ପ୍ରବେଶ କରିବା ପରଠାରୁ ଆମେରିକା ଓ ଚୀନ ମଧ୍ୟରେ ବିବାଦ ମୁଣ୍ଡ ଟେକିଛି । ଆମେରିକା ତାଇୱାନକୁ ସମର୍ଥନ କରି ଆସୁଛି । ଯାହାକୁ ନେଇ ଚୀନ ହୋଇ ଉଠିଛି ଆକ୍ରାମକ । ଜିନପିଙ୍ଗ ସରକାର ଅନୁସାରେ, ଇତିହାସରେ ତାଇୱାନ, ଚୀନର ଅଂଶ ଥିଲା । ଆଉ ତାଇୱାନରେ ରିପବ୍ଲିକ ଅଫ ଚାଇନାର ନିୟମ ହିଁ ଲାଗୁ ହେବ । ମାତ୍ର ଏହାକୁ ବିରୋଧ କରି ତାଇୱାନ ସ୍ୱାଧିନତା ପାଇଁ ସମର୍ଥନ ଜଣାଉଛି ଆମେରିକା । ଶୀଖର ସମ୍ମିଳନୀରେ ରାଷ୍ଟ୍ରପତି ବାଇଡେନ୍ ଶିନଜିଆଙ୍ଗ, ତିବ୍ଦତ ଓ ହଙ୍ଗକଙ୍ଗରେ ଚୀନର ଗତିବିଧି ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି । ସ୍ୱତନ୍ତ୍ର ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ପାଇଁ ଆମେରିକା ପ୍ରତିବଦ୍ଧ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।..