ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ପଛକୁ ହଟିଲା ଚୀନ୍ ସେନା । ପେଙ୍ଗଙ୍ଗ ହ୍ରଦ ନିକଟବର୍ତୀ ଫିଙ୍ଗର ୮ଅଂଚଳରୁ ପଛକୁ ଫେରିଗଲା ପିଏଲଏ ।

123

କନକ ବ୍ୟୁରୋ: ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ପଛକୁ ହଟିଲା ଚୀନ୍ ସେନା । ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ପଟରେ ଫିଙ୍ଗର ୮ରୁ ଆଗକୁ ମାଡି ଆସିଥିବା ଚୀନ୍ ପଛକୁ ହଟିଛି । ଏପରିକି ସେଠାରେ କରାଯାଇଥିବା ଅସ୍ଥାୟୀ ନିର୍ମାଣକୁ ମଧ୍ୟ ଭାଙ୍ଗିଦିଆଯାଇଛି । ଏନେଇ ଭାରତୀୟ ସେନା ଏକ ଭିଡିଓ ଜାରି କରିଛି ।

ଭାରତ ଚୀନ୍ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଫିଟୁଛି ବାଟ । ଉତର ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରୁ ପଛକୁ ହଟୁଛି ଚୀନ୍ ସେନା । ଭାରତୀୟ ସେନା ଜାରି କରିଥିବା ଭିଡିଓରେ ପିପୁଲ୍ସ ଲିବରେସନ ଆର୍ମି ସେନା ପ୍ରତ୍ୟାହାର କରୁଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ଅଂଚଳରେ ପିଏଲଏ ନିଜ ତମ୍ବୁ ହଟାଇବା ସହ ନିଜର ଟ୍ୟାଙ୍କର ମଧ୍ୟ ପଛକୁ ନେଇଯାଇଛି । ସେହିପରି ଫିଙ୍ଗର ୮ ଅଂଚଳରୁ ଆଗକୁ ବଢି ଚୀନ୍ ସେନା ଯେଉଁ ଅସ୍ଥାୟୀ ନିର୍ମାଣ କରିଥିଲା ତାଙ୍କୁ ମଧ୍ୟ ଭାଙ୍ଗି ଦିଆଯାଇଛି । ସୀମାରେ ଚୀନ୍ ସୈନିକଙ୍କୁ ନେବା ପାଇଁ ଜଗି ରହିଥିବା ଟ୍ରକ ପର୍ଯ୍ୟନ୍ତ ଚାଲି ଚାଲି ଯାଉଛନ୍ତି ପିଏଲଏ ସେନା । ଏହି ଅଂଚଳକୁ ମାଡି ବସିଥିଲେ ଚୀନ୍ ସେନା ।

ଗତ ବର୍ଷ ଜୁନ୍ ମାସରୁ ଉତର ଲଦାଖ ଅଂଚଳରେ ସୀମା ବିବାଦ ଆରମ୍ଭ ହୋଇଥିଲା । ଜାନୁୟାରୀ ୨୪ତାରିଖରେ ବୈଠକ ପରେ ସେନା ପ୍ରତ୍ୟାହାର ପାଇଁ ଉଭୟ ଦେଶ ରାଜି ହୋଇଥିଲେ । ଆଉ ଏହାର ଫଳସ୍ୱରୂପ ଏବେ ପେଙ୍ଗଙ୍ଗ ହ୍ରଦ ନିକଟରୁ ପଛକୁ ହଟିଛି ଚୀନ୍ ସେନା ।

ଗତ ସପ୍ତାହରେ ସଂସଦରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇ କହିଥିଲେ ଯେ, ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ହୋଇଛି । ତେବେ ଏହି ଡିସଏନଗେଜମେଂଟରେ ଭାରତ କିଛି ହରାଇବ ନାହିଁ ବୋଲି କହିଥିଲେ ରାଜନାଥ ।

ଦୀର୍ଘ ମାସ ଧରି ଯୁଦ୍ଧ ଟ୍ୟାଙ୍କକୁ ଏଠାରେ ମୁତୟନ କରିଥିଲା ଚୀନ୍ । ସେହିପରି ଫିଙ୍ଗର ୮ଅଂଚଳରେ ପିଏଲଏ ଲଗାଇଥିବା ତମ୍ବୁ, ବଙ୍କର ଓ ଅନ୍ୟ ନିର୍ମାଣକୁ ମଧ୍ୟ ହଟାଇଛି । ଉଭୟ ଦେଶର ଚୁକ୍ତି ଅନୁଯାୟୀ ଫିଙ୍ଗର ୮ପଛକୁ ଚୀନ୍ ସେନା ନିଜ ପୂର୍ବ ସ୍ଥାନକୁ ଫେରି ଯାଉଛି । ଏବଂ ପିଙ୍ଗର ୩ଅଂଚଳର ଧନ ସିଂ ପୋଷ୍ଟ ନିକଟକୁ ଫେରିଆସିବ ଭାରତୀୟ ସେନା । ଏହି ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ଉଭୟ ଦେଶର ସେନା ମଧ୍ୟରେ ଗୋଗରା, ହଟସ୍ପ୍ରିଙ୍ଗ, ଗଲୱାନ ଓ ଦେପସାଙ୍ଗକୁ ନେଇ ଆଲୋଚନା ହେବ ।

ଭାରତ ଚୀନ୍ ଚୁକ୍ତି ଅନୁଯାୟୀ ସୀମାରୁ ସେନା ପ୍ରତ୍ୟାହାର ପରେ ବିବାଦର ସ୍ଥାୟୀ ସମାଧାନର ବାଟ ଫିଟିଛି । ଅପରପକ୍ଷରେ ୨୦୨୦ ଏପ୍ରିଲ ପୂର୍ବ ସ୍ଥିତି ଫେରିଆସିବା ଆଶା କରାଯାଉଛି ।

ଭାରତ ଚୀନ୍ ମଧ୍ୟରେ ଗତବର୍ଷ ଜୁନ୍ ମାସରୁ ଲଦାଖ ଅଂଚଳରେ ଉତେଜନା ଲାଗିରହିଥିଲା । ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ବିବାଦର ସମାଧାନ ପାଇଁ ଦୁଇ ଦେଶର ସେନା ମଧ୍ୟରେ ବୈଠକ ପରେ ବୈଠକ ବସିଥିଲା । ଶେଷରେ ଜାନୁଆରିୀ ୨୪ରେ ହୋଇଥିବା ବୈଠକ ପରେ ବୁଝାମଣା ହୋଇଥିଲା ଏବଂ ଏହାର ଫଳସ୍ୱରୂପ ସେନା ପ୍ରତ୍ୟାହାର ହୋଇଛନ୍ତି ।