ସାମ୍ନାକୁ ଆସିଲା ଚୀନର ଷଡଯନ୍ତ୍ର: ବିବାଦୀୟ କ୍ଷେତ୍ରରେ ଗାଁ ବସାଉଛି ଡ୍ରାଗନ୍

164

କନକ ବ୍ୟୁରୋ: ଚାଇନରା ନୂଆ ସୀମା ଆଇନକୁ ନେଇ ରିପୋର୍ଟ ପ୍ରକାଶ କରିଛି ଆମେରିକାର ପଂଟାଗନ । ଏହି ରିପୋର୍ଟରେ ଚୀନର ବିସ୍ତାରବାଦୀ ନୀତିର ପୋଲ୍ ଖୋଲିଯାଇଛି । ରିପୋର୍ଟରେ ଆମେରିକା କହିଛି, ଏହି ନୂଆ ସୀମା ଆଇନ ବଳରେ ଏବେ ବିବାଦୀୟ ସୀମା ଅଂଚଳରେ ଭାରତକୁ ପଛକୁ ଠେଲିବ ଚୀନ । ବିବାଦୀୟ ଅଂଚଳ ଗୁଡିକରେ ଡ୍ରାଗନ ଏହାର ଦାବିକୁ ଅଧିକ ଶକ୍ତିଶାଳୀ କରିବ ।

ଭାରତ-ଚୀନ ମଧ୍ୟରେ ସୀମାକୁ ନେଇ କେବେ ହେଲେ ଔପଚାରିକ ଭାବେ କୌଣସି ନିର୍ଦ୍ଦିଷ୍ଟ ଚୁକ୍ତି ହୋଇନାହିଁ । ଦେଶ ସ୍ୱାଧୀନତା ଆଗରୁ ଏହି ଅବସ୍ଥା ଆଜି ଯାଏଁ ବି ଚାଲିଛି । ଏପରି ଅବସ୍ଥାରେ ଚୀନ ଏହାର ନୂଆ ସୀମା ଆଇନ ଆଣିଛି । ଯେଉଁଥିରେ ଅନେକ ଧାରା ଓ ଅନୁଛେଦ ରହିଛି । ତେବେ ଚୀନର ଏହି ନୂଆ ସୀମା ଆଇନକୁ ନେଇ ପୋଲ୍ ଖୋଲି ଦେଇଛି ଆମେରିକାର ପେଂଟାଗନ । ପେଂଟାଗନ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଚୀନର ନୂଆ ସୀମା ଆଇନ ପଛରେ ରହିଥିବା ଆଭିମୁଖ୍ୟକୁ ସ୍ପଷ୍ଟ ଧରି ପାରିଛି ଆମେରିକା ।

– ଚୀନ ସୀମା ଆଇନକୁ ନେଇ ପେଂଟାଗନର ରିପୋର୍ଟ
– ନୂଆ ସୀମା ଆଇନ ପଛରେ ଚୀନର ଅଛି ଷଡଯନ୍ତ୍ର
– ବିବାଦୀୟ ଅଂଚଳ ଦଖଲ କରିବାକୁ ଡ୍ରାଗନର ରଣନୀତି
– ନୂଆ ସୀମା ଆଇନ ଲାଗୁ କରି ଭାରତକୁ ପଛକୁ ଠେଲିବ ଚୀନ

ଲାଇନ ଅଫ୍ ଆକଚୁଆଲ୍ କଂଟ୍ରୋଲ ବା ପ୍ରକୃତ ନିୟନ୍ତ୍ରଣ ରେଖାକୁ ନେଇ ଭାରତ-ଚୀନ ମଧ୍ୟରେ ତିକ୍ତତା ଚାଲିଛି । ଏହି ଏଲଏସିକୁ ନେଇ ବିଶେଷ ଭାବରେ ଚୀନ ଓ ନୂଆଦିଲ୍ଲୀ ମଧ୍ୟରେ ଆଲୋଚନା ବି ଫଳବତୀ ହୋଇନାହିଁ । ଏପରି ଅବସ୍ଥାରେ ଚୀନର ନୂଆ ସୀମା ଆଇନକୁ ନେଇ ପେଂଟାଗନ ଆକଳନ କରିଛି, ଏହି ଆଇନ ପରେ ବେଜିଂ ଓ ନୂଆଦିଲ୍ଲୀ ମଧ୍ୟରେ ସଂପର୍କ ଅଧିକ ତିକ୍ତ ହେବ ।

-ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗ
-ଆମେରିକାକୁ ବେଜିଂର ଚେତାବନୀ
-ଭାରତ-ଚୀନ ବ୍ୟାପାରରେ ମୁଣ୍ଡ ନଖେଳାଉ ଆମେରିକା

ସବୁବେଳେ ଭାରତ-ଚୀନ ସୀମା ବିବାଦ ତଥା ଲଦାଖରେ ଅସନ୍ତୋଷ ଉପରେ ନଜର ରଖି ଆସୁଛି ଆମେରିକା । ଏହାକୁ ନେଇ ପେଂଟାଗନ୍ ସ୍ପଷ୍ଟ କରିଛି କଥା ସୀମାକୁ ନେଇ ଆସିଲେ ଚୀନ ସବୁବେଳେ ଅଧିକ ଉଗ୍ର ଆଭିମୁଖ୍ୟ ଗ୍ରହଣ କରୁଛି । କେବଳ ଭାରତ ନୁହଁ ଚୀନକୁ ଲାଗି ରହିଥିବା ଅନ୍ୟ ପଡୋଶୀଙ୍କ ସହିତ ମଧ୍ୟ ଚୀନ ଏପରି ଆଭିମୁଖ୍ୟ ରଖି ଆସୁଛି । ସବୁବେଳେ ଲାଇନ ଅଫ୍ ଆକଚୁଆଲ କଂଟ୍ରୋଲ ବା ଏଲଏସିରେ ପ୍ରତିରକ୍ଷା ରଣନୈତିକ ମାମଲାରେ ଆଗୁଆ ହେବାକୁ ଚୀନ କରି ଆସୁଛି ଉଦ୍ୟମ । ସେପଟେ ଚୀନ୍ ଆମେରିକାକୁ ଭାରତ-ଚୀନ ସୀମା ବିବାଦରେ ମୁଣ୍ଡ ନପୁରାଇବାକୁ କହିଥିବା ପେଂଟାଗନ ରିପୋର୍ଟରେ କୁହାଯାଇଛି ।

– ବିବାଦୀୟ ଚୀନ-ତିବ୍ଦତ ଅଂଚଳରେ ଗାଁ ବସାଇଛି ଚୀନ
– ୨୦୦୦ ମସିହାରେ ହୋଇଛି ୧୦୦ ଘର ବିଶିଷ୍ଟ ଗାଁ
– ଏଲଏସିର ପୂର୍ବରେ ଅରୁଣାଚଳ ବିବାଦୀୟ ଅଂଚଳରେ ଗାଁ

ଅରୁଣାଚଳ ପ୍ରଦେଶର ଗୋଟିଏ ଅଂଚଳ ହେଉଛି ଟିସାରୀ ଚୁ ନଦୀର ଉପକୂଳ । ଉପର ସୁବନସିରି ଜିଲ୍ଲାର ଏହା ଅଂଚଳ । ଚୀନ କିନ୍ତୁ ଏଠାରେ କଲୋନୀ ତିଆରି କରିଛି । ଭାରତୀୟ ସୀମାର ପ୍ରାୟ ୪.୫ କିଲୋମିଟର ଅଂଚଳ ଭିତରକୁ ଆସି ଚୀନ ୧୦୧ଟି ଘର ବିଶିଷ୍ଟ ଏକ ବଡ କଲୋନା ନିର୍ମାଣ କରିଛି । ଏହି ଅଂଚଳ ଭାରତର । କିନ୍ତୁ ୧୯୫୯ ଠାରୁ ଚୀନ ଏହା ଉପରେ ଅଧିକାର ଦାବି କରି ଆସୁଛି । ପେଂଟାଗନ ରିପୋର୍ଟରେ ଦର୍ଶା ଯାଇଥିବା ତଥ୍ୟ ଏହି ସବୁ ଘଟଣା ଉପରେ କେବଳ ମୋହର ଲଗାଇଛି । କାରଣ ଚୀନ କେବଳ ଗାଁ ତିଆରି କରିଛି, ତା ନୁହଁ ଗୋଟିଏ ଗାଁ ପାଇଁ ଆବଶ୍ୟକ ଥିବା ସମସ୍ତ ବ୍ୟବସ୍ଥାକୁ ବିବାଦୀୟ ଅଂଚଳରେ ନିର୍ମାଣ କରିଛି ଚୀନ । ସାଟେଲାଇଟ ଚିତ୍ର ଗୁଡିକରେ ଚୀନର ଏପରି ପୋଲ୍ ଖୋଲିଯାଇଛି । ଏହି ଗାଁ ଗୁଡିକୁ ସଂଯୋଗ କରିବାକୁ ଚୀନ ନିର୍ମାଣ କରିଛି ରେଳଲାଇନ, ବିଜୁଳି ସେବା, ସଡକ ରାସ୍ତା । ପ୍ରକୃତରେ ଏହାକୁ ବ୍ୟବହାର କରିବେ ଚୀନ ସେନା । ପ୍ରତିକୂଳ ସ୍ଥିତିରେ ସୀମାରେ ଚୀନ ସେନାର ଏହା ପାଲଟିବ ଆଶ୍ରୟ ସ୍ଥଳ । ଏହି ଠାରୁ ସୀମାର ଆଗୁଆ ମୋର୍ଚ୍ଚା ଗୁଡିକ ପାଇଁ ଚୀନ କରିବ ଯୁଦ୍ଧ ରଣନୀତି ।

ପେଂଟାଗନ ରିପୋର୍ଟରେ ଚୀନର ବିସ୍ତାରବାଦୀ ନୀତିର ପୋଲ୍ ଖୋଲିଛି । ଚୀନ ଏପରି କିଛି ଢଙ୍ଗରେ ପ୍ରଥମେ ବିବାଦୀୟ ସୀମାରେ ଗାଁ ସ୍ଥାପନ କରିବ । ପରେ ଏହି ସବୁ ଅଂଚଳକୁ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର କରିବ, ଆଉ ପଛକୁ ହଟିବନି । ଏହି ଉପାୟରେ ଭାରତ-ଚୀନ ସୀମାରେ ଶତାଧିକ ଗାଁକୁ ମାଡି ବସିବ ଚୀନ । ପେଂଟାଗନ ରିପୋର୍ଟ ଏହା ପର୍ଦ୍ଦାଫାଶ କରିଛି ।