ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା । ୨ରୁ ୧୮ବର୍ଷ ବୟସ୍କଙ୍କୁ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଏସଇସିର ଅନୁମତି

122

କନକ ବ୍ୟୁରୋ: ଭାରତରେ ଶିଶୁ ଓ କିଶୋରଙ୍କ ଦେହରେ କୋଭାକ୍ସିନ ଟିକାର କ୍ଲିନିକ୍ଲାଲ ଟ୍ରାଏଲ ପାଇଁ ଅନୁମତି ମିଳିଛି । ଆଉ ଏହି କ୍ଲିନିକାଲ ଟ୍ରାଏଲର ସଫଳ ହେଲେ ଦେଶରେ ଛୋଟି ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇପାରିବ । ଦେଶରେ ଏବେ ୧୮ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯାଉଛି । ହେଲେ ଛୋଟ ପିଲା କରୋନା ସଂକ୍ରମିତ ହେବା ଭୟ ରହିଛି । ଏପରିକି ଦ୍ୱିତୀୟ ଲହରରେ କିଛି ପିଲା ଆକ୍ରାନ୍ତ ହୋଇଥିବା ଖବର ବି ରହିଛି । ଏହାଛଡା ତୃତୀୟ ଲହରରେ ୧୮ରୁ କମ୍ ବୟସ୍କଙ୍କୁ ଭୂତାଣୁ ଅଧିକ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଶିଶୁ, କିଶୋରଙ୍କୁ ଟିକାକରଣ କରିବା ଜରୁରୀ ହୋଇପଡିଛି ।

ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରେ।। ଟିକା କୋଭାକ୍ସିନକୁ ଦେଶର ଛୋଟ ପିଲାଙ୍କ ଉପରେ ପରୀକ୍ଷା ପାଇଁ ଅନୁମତି ମିଳିଛି । ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଦେହରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦେଇଛି କୋଭିଡ-୧୯, ସବଜେକ୍ଟ ଏକ୍ସପର୍ଟ କମିଟି । ଦିଲ୍ଲୀ ଏମ୍ସ, ପାଟନା ଏମ୍ସ ଓ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ସମେତ ବିଭିନ୍ନ ସ୍ଥାନରେ ୫୨୫ ଜଣ ୨ରୁ ୧୮ ବର୍ଷ ବୟସ୍କଙ୍କ ଦେହରେ ପରୀକ୍ଷା କରାଯିବ ।

ସବଜେକ୍ଟ ଏକ୍ସପର୍ଟ କମିଟି କୋଭାକ୍ସିନ ନିର୍ମାଣ କରିଥିବା ଭାରତ ବାୟୋଟେକ ପକ୍ଷରୁ ଦାଖଲ ତଥ୍ୟର ବିସ୍ତୃତ ତର୍ଜମା କରିବା ପରେ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦେଇଛି । ଶିଶୁ ଓ କିଶୋରଙ୍କ ଉପରେ ଟିକାର ସୁରକ୍ଷା, ପାଶ୍ୱର୍ପ୍ରତିକ୍ରିୟା ଓ ରୋଗ ପ୍ରତିରୋଧକ ଶକ୍ତିର ବିକାଶ ଉପରେ ପରୀକ୍ଷା ପାଇଁ କୋଭାକ୍ସିନକୁ ଅନୁମତି ଦିଆଯାଇଛି । ପୂର୍ବରୁ ପିଲାଙ୍କ ଉପରେ ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଆବେଦନ କରିଥିଲା ଭାରତ ବାୟୋଟେକ ।

ଗତ ଫେବୃୟାରୀ ୨୪ତାରିଖରେ ସବଜେକ୍ଟ ଏକ୍ସପର୍ଟ କମିଟି ଭାରତ ବାୟୋଟେକକୁ ଟ୍ରାଏଲର ପ୍ରଟୋକଲର ଦେବାକୁ କହିଥିଲା, ଆଉ ପ୍ରଟୋକଲର ତର୍ଜମା ପରେ ଏସଇସି କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦେଇଛି ।

ତେବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ମିଳିଥିବା ସବିଶେଷ ତଥ୍ୟ ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ ପାଖରେ ଦାଖଲ କରିବାକୁ ଭାରତ ବାୟୋଟେକକୁ କୁହାଯାଇଛି । ଦେଶରେ ଏବେ ବୟସ୍କଙ୍କୁ ଦିଆଯାଉଥିବା କୋଭାକ୍ସିନ ଟିକା ଭାରତ ବାୟଟେକ ଓ ଆଇସିଏମଆର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ।