ନିଟ୍-ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୱାଲଙ୍କୁ ଲେଖିଲେ ଚିଠି ; କରୋନା ସଂକ୍ରମଣ ପାଇଁ ପରୀକ୍ଷା ଘୁଞ୍ଚାଇବାକୁ ଦାବି

284

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିଟ ଓ ଜେଇଇକୁ ଘୁଂଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୱାଲଙ୍କୁ ଲେଖି ଥିବା ଚିଠିରେ ନବୀନ କହିଛନ୍ତି. ଏହି ମହାମାରୀ ସମୟରେ ଏଭଳି ପରୀକ୍ଷା ନିରାପଦ ନୁହେଁ ଓ ଛାତ୍ରମାନେ ସଂପୃକ୍ତ ପରୀକ୍ଷା କେନ୍ଦ୍ରକୁ ଯିବା ମଧ୍ୟ ଠିକ ନୁହେଁ । ଏହାଛଡା କରୋନା ପଜିଟିଭ ସଂଖ୍ୟା ବଢୁଥିବାରୁ ବିଭିନ୍ନ ଜିଲ୍ଲା ପ୍ରଶାସନ ଲକଡାଉନ ଓ ସଟଡାଉନ ଭଳି କଟକଣା ଲାଗୁ କରିଛନ୍ତି । ଏହାଦ୍ୱାରା ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇପାରେ । ଏହାଛଡା ଭୌଗଳିକ ଦୃଷ୍ଟିକୋଣରୁ ଆଦିବାସୀ ଅଂଚଳର ଛାତ୍ରଛାତ୍ରୀ ବର୍ତ୍ତମାନ ସ୍ଥିତିରେ ସହରାଂଚଳକୁ ଯିବା ସମ୍ଭବ ନୁହେଁ ।

ଏଥିପାଇଁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ହେଲେ ସେମାନଙ୍କୁ ଦୀର୍ଘ ବାଟ ଯିବାକୁ ପଡିବ । ତେଣୁ ଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ସେପଟେମ୍ବରରେ ହେବାକୁ ଥିବା ନିଟ୍ ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖାଯାଉ । ଚଳିତ ବର୍ଷ ରାଜ୍ୟର ୫୦ ହଜାରରୁ ଅଧିକ ଛାତ୍ର ନିଟ ପରୀକ୍ଷା ଦେବାକୁ ଥିବାବେଳେ ୪୦ ହଜାରରୁ ଅଧିକ ଜେଇଇ ପରୀକ୍ଷା ଦେବାର ଅଛି ।