କନକ ବ୍ୟୁରୋ: ଗଞ୍ଜାମ ରାଜନୀତି ମଇଦାନରେ ରାଜନୈତିକ ସଚିବ । ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ଖାଲି ପଡିଥିବା ଗୋପାଳପୁର ଆସନ ଉପରେ ଏବେ ସମସ୍ତଙ୍କ ଆଖି ରହିଛି । ଦଳର ମଙ୍ଗ ଏଠି କିଏ ଧରିବ ତାକୁ ନେଇ ଅଙ୍କକଷା ଭିତରେ ସାମ୍ନାକୁ ଆସିଛନ୍ତି ଗୋପବନ୍ଧୁ ଦାସ । ମହିଳା ସଶକ୍ତିକରଣ ଓ ମିଶନ ଶକ୍ତି କଥା କହି ସେ ଭୋଟ୍ ଅପିଲ କରିଛନ୍ତି । ତେଣୁ ଚର୍ଚ୍ଚା ହେଉଛି ୨୦୨୪ ବେଳକୁ ନିଜେ ରାଜନୀତିର ମଇଦାନକୁ ଓହ୍ଳାଇବା ପାଇଁ ବାଟ କରୁଛନ୍ତି ଅଫିସରରୁ ନେତା ବନିଥିବା ଏହି ପୂର୍ବତନ ଆଇଏଏସ୍ ।

Advertisment

ଗୋପବନ୍ଧୁଙ୍କୁ ନେଇ ଗତିଶୀଳ ଗଞ୍ଜାମ ବିଜେଡି ?

ଗଞ୍ଜାମ ରାଜନୀତିରେ ସାମ୍ନାକୁ ଆସୁଛନ୍ତି କି ନୂଆ ଚେହେରା? କାହିଁକି ନା, ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ୧୦ ନମ୍ବର ଜୋନରେ ଦଳ ପାଇଁ ପ୍ରଚାର କରୁଛନ୍ତି ଖୋଦ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ । ଜନସାଧାରଣ ମଧ୍ୟ କରତାଳି ମାଧ୍ୟମରେ ନୂଆ ନେତାଙ୍କୁ କରୁଛନ୍ତି ସମର୍ଥନ । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଡିଓ ବାର୍ତାକୁ ଲୋକଙ୍କ ସାମ୍ନାରେ ରଖିବା ସହ ମୁଖ୍ୟମନ୍ତ୍ରୀଙ୍କ କଥା କହି ଖେଳିଛନ୍ତି ଦଳର ସବୁଠାରୁ ବଡ ଶକ୍ତି କୁହାଯାଉଥିବା ମହିଳା କାର୍ଡ ।

  • ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଗୋପାଳପୁରରେ ଗୋପବନ୍ଧୁ !
  • ଦିନେ ପାୱାରଫୁଲ ଅଫିସର, ଆଜି ରାଜନୀତି ମଇଦାନରେ
  • ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମଞ୍ଚ ଆରୋହଣ କରି ମାଗିଲେ ଭୋଟ

ଅବସର ପରେ ଗୋପବନ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ନିଜର ରାଜନୈତିକ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି । ଆଉ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ ହେବା ପରେ ସେଠାରେ ଦଳର ମଙ୍ଗ ଧରିଛନ୍ତି ଏକଦା ପାୱାର କରିଡରର ଏହି ପାୱାରଫୁଲ ଅଫିସର । ପୂର୍ବରୁ ରୁଦ୍ଧଦ୍ୱାର ବୈଠକ କରି ସ୍ଥାନୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଥିବା ଏହି ପୂର୍ବତନ ଅଧିକାରୀ ଏବେ ପ୍ରଥମ ଥର ପାଇଁ ମଞ୍ଚ ଆରୋହଣ ସହ ନିର୍ବାଚନ ପ୍ରଚାର କରିଛନ୍ତି । ସମଗ୍ର ଗଞ୍ଜାମ ଜିଲ୍ଲାରେ ଦଳର ସଂଗଠନକୁ ସେ ପରିଚାଳନା କରୁଥିବା ଚର୍ଚ୍ଚା ହେଉଛି । ଜିଲ୍ଳାରେ ଦଳର ଅନେକ ବଡ ନେତା ରହିଥିବା ବେଳେ ଗୋପବନ୍ଧୁଙ୍କ ଆବିର୍ଭାବ ଏବେ ଗଞ୍ଜାମ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି । ପଞ୍ଚାୟତ ନିର୍ବାଚନରେ ଦଳକୁ ତାଙ୍କ ରଣନୀତି କେତେ ସଫଳତା ଆଣି ଦେଉଛି ତାହାକୁ ଅପେକ୍ଷା ରହିଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି ପ୍ରତ୍ୟକ୍ଷ ରାଜନୀତିକୁ ସେ ଆସିବେ କି ନାହିଁ, ତା ଉପରେ ନଜର ।