କରୋନା ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଚିନ୍ତା ବଢାଉଛି କଟକ ଓ ଭୁବନେଶ୍ୱର : କୋଭିଡ ରଣନୀତିକୁ ସଠିକ ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ

276
କନକ ବ୍ୟୁରୋ : ଜାତୀୟସ୍ତରରେ କୋଭିଡ୍ ସ୍ଥିତି ତୁଳନାରେ ଓଡିଶାର ସ୍ଥିତି ଭଲ ରହିଛିା କିନ୍ତୁ ଚିନ୍ତା ବଢାଉଛି କଟକ ଓ ଭୁବନେଶ୍ୱର । ଗତ କିଛି ଦିନ ହେଲା ଏହି ଦୁଇ ସହରରେ ସଂକ୍ରମଣ ବହୁ ମାତ୍ରାରେ ବଢିଛି । ଏହା ରାଜ୍ୟର କରୋନା ଚିତ୍ରକୁ ଉଦ୍ବେଗଜନକ କରୁଛି । କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗମ୍ଭୀରତାର ସହିତ ନେଇଛନ୍ତି । ଏହି ଦୁଇ ଜିଲ୍ଲାରେ ଗଣନୀତିକୁ ସୁଦୃଢ କରିବାକୁ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଗୁରୁବାର ସାପ୍ତାହିକ ସମୀକ୍ଷା ବୈଠକ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଜାତୀୟ ହାର ତୁଳନାରୁ ବେଶ ଅଧିକ କୋଭିଡ ପରୀକ୍ଷା ହୋଇଛି ଏବଂ ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ୭୬.୭୮ ପ୍ରତିଶତ ଏବଂ ମୃତ୍ୟୁହାର ମାତ୍ର ୦.୪୬ ପ୍ରତିଶତ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ କୋଭିଡେ ପରିଚାଳନା ଏକ ଆହ୍ୱାନ ଏବଂ ସେଥିପାଇଁ କୋଭିଡ୍ ରଣନୀତି ସଠିକ ଭାବେ କାର୍ଯକାରୀ କରିବା ଜରୁରୀ ବୋଲି ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଋତୁରେ ସର୍ଦ୍ଦି, କାଶ ପରି ରୋଗର ସମ୍ଭାବନାକୁ ଦୃଷ୍ଟିରେ ରଖି ଏସବୁ ଲକ୍ଷଣ ଉପରେ ନଜର ରଖିବାକୁ ମଧ୍ୟ ସେ କହିଛନ୍ତି ।
ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସମସ୍ତ ଜ୍ୱର କ୍ଲିନିକ୍ଗୁଡିକୁ ସତର୍କ ରହିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଜୀବିକା ସୃଷ୍ଟିକୁ ଗୁରୁତ୍ୱ ଦେବା ସହ ସମସ୍ତ ବିଭାଗ ଜୀବିକା ସୃଷ୍ଟି କରିବା ଦିଗରେ ଅଧିକ କାର୍ଯ୍ୟକ୍ରମ ହାତକୁ ନେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।