କରୋନାକୁ ନେଇ ସଚେତନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । କହିଲେ, ଆମର ଲକ୍ଷ୍ୟ ଶୂନ ସଂକ୍ରମଣ ।

83

କନକ ବ୍ୟୁରୋ: ରାଜ୍ୟରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୬୫୨ । ମାଲକାନଗିରି ଓ କେନ୍ଦ୍ରାପଡ଼ା, ଏହି ଦୁଇଟି ଜିଲ୍ଲାରେ କୌଣସି ସକ୍ରିୟ ସଂକ୍ରମଣ ନାହାନ୍ତି । ୧୫ଟି ଜିଲ୍ଲାରେ ଏହି ସଂଖ୍ୟା ଏକ ଅଙ୍କ ବିଶିଷ୍ଟ । ଗତ ୨୪ ଘଂଟାରେ ୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୧୨ରେ ୬୫ ଓ ମାର୍ଚ୍ଚ ୧୧ରେ ୬୪ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ରାଜ୍ୟରେ କରୋନା ସ୍ଥିତି ଏପର୍ଯ୍ୟନ୍ତ ନିୟନ୍ତ୍ରଣରେ ରହିଛି । ତେବେ ଆତ୍ମ ସନ୍ତୁଷ୍ଟି ନୁହେଁ, ବିପଦ ଟଳି ନଥିବାରୁ ସତର୍କ ରହିବାକୁ ଭିଡିଓ ବାର୍ତା ଜାରି କରି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ସଂକ୍ରମଣକୁ ଶୂନରେ ପହଁଚାଇବା ସରକାରଙ୍କ ଲକ୍ଷ୍ୟ ।

ଓଡ଼ିଶା କରୋନା ମିଟର
ସକ୍ରିୟ ସଂକ୍ରମଣ – ୬୫୨
୨ ଜିଲ୍ଲା – ସକ୍ରିୟ ସଂକ୍ରମଣ ଶୂନ
୧୫ ଜିଲ୍ଲା – ଏକଅଙ୍କ ବିଶିଷ୍ଟ
ମାର୍ଚ୍ଚ ୧୩ – ୭୧
ମାର୍ଚ୍ଚ ୧୨ – ୬୫
ମାର୍ଚ୍ଚ ୧୧ – ୬୪

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ ରାଜ୍ୟରେ ଲକଡାଉନ ଓ ରାତି କର୍ଫ୍ୟୁ ଭଳି କଟକଣା ଫେରିଛି । ଲକଡାଉନକୁ ନଫେରିବାର ଏକମାତ୍ର ବାଟ ହେଉଛି ସତର୍କତା । ବିଶେଷଜ୍ଞ ଡାକ୍ତର ମଧ୍ୟ ସଚେତନ ଓ କୋଭିଡ୍ କଟକଣାକୁ ମାନିବାକୁ ପରାମର୍ଶ ଦେଇଛନ୍ତି ।

ସେପଟେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟକୁ ବର୍ଷେ ପୂରିବାକୁ ଯାଉଛି । ୨୦୨୦ ମାର୍ଚ୍ଚ ୧୧ ତାରିଖରେ ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିଥିଲା ଡବ୍ଲୁଏଚଓ । ଏକ ଅଜଣା ଭୟ ମାଡିଆସୁଥିବା ବେଳେ ମାର୍ଚ୍ଚ ୧୫ ତାରିଖରେ ଇଟାଲିରୁ ଓଡିଶା ଫେରିଥିବା ଭୁବନେଶ୍ୱର ବଡଗଡର ଯୁବକ କରୋନା ପଜିଟିଭ୍ ଚିହ୍ନଟ ହେଲେ । କେମିତି ଥିଲା ସେହି ସମୟର ଅନୁଭୂତି, କନକ ନ୍ୟୁଜକୁ କହିଛନ୍ତି ଦେବାଶିଷ ଶ୍ରୀଚନ୍ଦନ ।
କରୋନା ଭୟ ବର୍ଷେ ପୂର୍ବରୁ ଯେମିତି ଥିଲା, ବର୍ତମାନ ଦେଶ ଓ ବିଶ୍ୱର ବିଭିନ୍ନ ଅଂଚଳରେ ବଢୁଥିବା ସଂକ୍ରମଣ ପୁଣି ଥରେ ଲୋକଙ୍କ ଭିତରେ ଭୟ ସୃଷ୍ଟି କରୁଛି । କରୋନାର ନୂଆ ଷ୍ଟ୍ରେନ୍, ବିଶେଷ କରି ଘାତକ ସାଜିଥିବା ବ୍ରାଜିଲ୍ ଷ୍ଟ୍ରେନ୍ ଏବେ ଚିନ୍ତାର କାରଣ ପାଲଟିଛି ।