ଆଜିି ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ : ଅନୁଧ୍ୟାନ ପରେ କରିବେ ସ୍ଥିତିର ସମୀକ୍ଷା, ଏପଟେ ହୀରାକୁଦରେ ୩୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣି

110

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବନ୍ୟା ଅଂଚଳର ପରିଦର୍ଶନ କରିବେ । ପରିଦର୍ଶନ ପରେ ସ୍ଥିତିର ସମୀକ୍ଷା କରିବେ । ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଲଗାତର ତିନୋଟି ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢିବାରୁ ଓଡିଶାର ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ମହାନଦୀରେ ବନ୍ୟା ଆସିଛି । ବ୍ରାହ୍ମଣୀ ନଦୀ ଯୋଗୁଁ ଯାଜପୁରର ଜିଲ୍ଲାର ବରି ଅଂଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ମହନଦୀରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ହୀରାକୁଦକୁ ସର୍ବାଧିକ ୯ଲକ୍ଷ ୧୧ହଜାର କ୍ୟୁସେକ ଜଳ ପ୍ରବେଶ କରିଛି । ହିରାକୁଦ ଡ୍ୟାମରୁ ସର୍ବାଧିକ ୭ଲକ୍ଷ ୬୫ହଜାର କ୍ୟୁସେକ ଜଳ ନିଷ୍କାସିତ ହେଇଛି । ହୀରାକୁଦ ଡ୍ୟାମର ଆଜି ଆଉ ୪ଟି ଗେଟ ବନ୍ଦ କରାଯାଇଛି । ବର୍ତମାନ ୩୬ଟି ଗେଟ୍ ଖୋଲା ରହିଛି ।

ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହୋଇ ମୁଣ୍ଡଳୀର ପହଁଚିଥିବା ବେଳେ ସର୍ବାଧିକ ୧୦ଲକ୍ଷ ୨ହଜାର କ୍ୟୁସେକ ଜଳ ମୁଣ୍ଡଳୀ ଅତିକ୍ରମ କରିଛି । ଆଗାମୀ ୨୪ଘଂଟା ପର୍ଯ୍ୟନ୍ତ ମୁଣ୍ଡଳୀରେ ଜଳପ୍ରବାହ ଅଧିକ ରହିବ ଓ ଏହାପରେ ଧିରେ ଧିରେ କମିବ । ଏହି ବନ୍ୟାରେ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ କଟକ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନ ବି ପୁରୀର ଦେବୀ ନଦୀ ଓ ଭାର୍ଗବୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି ଓ ସ୍ଥିତି ଉପରେ କଡା ନଜର ରଖିଛନ୍ତି ସରକାର ।