କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ତାରିଖରେ ସୁନ୍ଦରଗଡ଼ ଗସ୍ତରେ ଯିବେ । ସେଠାରେ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ମୁଖ୍ୟମନ୍ତ୍ରୀଙ୍କର ଏହା ସରକାରୀ କାର୍ଯ୍ୟକ୍ରମ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତ ଚାଲିଛି । ତେବେ ଏହି ଗସ୍ତକୁ ପ୍ରଭାବୀ କରିବା ପାଇଁ ବିଜେଡି ପକ୍ଷରୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ଚାଲିଛି । ୧୨ରୁ ଅଧିକ ମନ୍ତ୍ରୀ ଆଗୁଆ ସେଠାକୁ ଯାଇ କାର୍ଯ୍ୟକ୍ରମର ତଦାରଖ କରିବେ। ବ୍ଲକ୍ ୱାରି ମନ୍ତ୍ରୀମାନଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି ।
୧୨ ତାରିଖ ଠାରୁ ମନ୍ତ୍ରୀମାନେ ସେଠାରେ ଡେରା ପକାଇବେ। କିଛି ବିଧାୟକଙ୍କ ସମେତ ପାଖାପାଖି ୫୦ ଜଣ ରାଜ୍ୟସ୍ତରୀୟ ନେତାଙ୍କୁ ମଧ୍ୟ ପଠାଯିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି । କୋଭିଡ୍ କଟକଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଅଧିକ ଲୋକଙ୍କୁ ଏକାଠି କରା ନ ଯାଇ ବିଭିନ୍ନ ବ୍ଲକ୍ରେ ବଡ଼ ବଡ଼ ସ୍କ୍ରିନ୍ ଲଗାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ । ମନ୍ତ୍ରୀ, ବିଧାୟକମାନେ ଏହି କାର୍ଯ୍ୟକ୍ରମର ତଦାରଖ କରିବେ। ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନ ଆରମ୍ଭ କଲା ପରେ ଦୁଇ ତିନି ଦିନ ଭିତରେ ବ୍ଲକ୍ ସ୍ତରରେ ହିତାଧିକାରୀଙ୍କୁ ମନ୍ତ୍ରୀ, ବିଧାୟକମାନେ କାର୍ଡ ବାଣ୍ଟିବେ ।
କୋଭିଡ୍ର ଦ୍ବିତୀୟ ଲହର ପରେ ମୁଖ୍ୟମନ୍ତ୍ରୀଙ୍କର ଏହା ରାଜଧାନୀ ବାହାରେ ଦ୍ବିତୀୟ କାର୍ଯ୍ୟକ୍ରମ । ଗତ ୨୦ ତାରିଖରେ ଶ୍ରୀ ପଟ୍ଟନାୟକ ମାଲକାନଗିରି ଯାଇ ସ୍ମାର୍ଟ ହେଲ୍ଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ମୁଖ୍ୟମନ୍ତ୍ରୀ ଅନ୍ୟ ଜିଲ୍ଲା ମଧ୍ୟ ଗସ୍ତ କରିବେ । ଖୁବ୍ଶୀଘ୍ର ମୟୂରଭଞ୍ଜ ଓ ବଲାଙ୍ଗୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।