ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ପାରଳାଖେମୁଣ୍ଡିରେ ବାଣ୍ଟିବେ ସ୍ମାର୍ଟ ବିଜୁ ସ୍ୱାସ୍ଥ୍ୟ କାର୍ଡ

Advertisment
ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ । ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଆଜି ଗଜପତି ଜିଲ୍ଲା ଦିନିକିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟର ଯୋଗେ ଦିନ ୧୧ଟାରେ ପାରଳାଖେମୁଣ୍ଡିରେ ପହଁଚିବେ । ପ୍ରଥମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ବଂଟନ କରିବେ । ତାପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ସହ ଶୁଭ ଦେବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାରେ ମୋଟ ୯୬ ହଜାର ପରିବାରକୁ ଚୟନ କରି ତାଲିକାଭୁକ୍ତ କରାଯାଇଛି । ଏଥିରେ ୪ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ସେହିପରି ୭୯୬ କୋଟି ଟଙ୍କାର ମୋଟ ୩୬ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୮ପ୍ଲାଟୁନ ଫୋର୍ସ ସହ ବହୁ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ସେହିପରି ଅକ୍ଟୋବର ୭ରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ଗସ୍ତରେ ଯିବେ। ବ୍ରହ୍ମଗିରିରେ ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ପ୍ରାୟ ୨୫୦କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କେ.ବି ସିଂହ ଓ ବରିଷ୍ଠ ଅଧିକାରୀମାନେ ଆଜି ବ୍ରହ୍ମଗିରି ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେଉଁଠି ହେଲିପ୍ୟାଡ୍ ହେବ, କେଉଁଠି ସଭା ହେବ ସବୁ ବୁଲି ଦେଖିବା ସହ କେଉଁ ଅଞ୍ଚଳର କେତେ ହିତାଧିକାରୀଙ୍କ କାର୍ଡ ଦିଆଯିବ, ଅନ୍ୟ ସବୁ କ’ଣ କାର୍ଯ୍ୟକ୍ରମ ହେବ, କେଉଁ ବ୍ଲକରେ କେଉଁ ନେତା ଉପସ୍ଥିତ ରହିବେ ତାହାର ସମୀକ୍ଷା କରିଛନ୍ତି ।

ଅପରପକ୍ଷେ ୯ତାରିଖରେ ଦେବଗଡ଼ରେ ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ହେବାକୁ ଥିବାବେଳେ ଏଠାକୁ ମୁଖ୍ୟମନ୍ତ୍ରୀ ଯିବେ ନା ଭର୍ଚୁଆଲ ମୋଡରେ ଉଦ୍‌ଘାଟନ କରିବେ ସେନେଇ ଏବେ ଦ୍ବନ୍ଦ୍ବ ରହିଛି । ରବିବାର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଦେବଗଡ଼ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ କରିବେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସୂଚୀ ସ୍ଥିର ହେବ ବୋଲି ଜଣାପଡ଼ିଛି । ଏଠାରେ ମଧ୍ୟ ବହୁ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ହେବାର ରହିଛି ।

ଅପରପକ୍ଷେ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ଜିଲ୍ଲା ଗସ୍ତ ବିରୋଧୀ ଶିବିରରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡି ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଏବେ ଏକରକମ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ କିଛି ବି ଆଖିଦୃଶିଆ କାର୍ଯ୍ୟକ୍ରମ ହେଉନି। ତେଣୁ ଏବେ ବିଜେଡି ଯେପରି ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆଳରେ ବ୍ଲକ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛି, ଲୋକଙ୍କ ସହ ସଂପୃକ୍ତ ହେଉଛି ବିଜେପି ମଧ୍ୟ ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe