କନକ ବ୍ୟୁରୋ: କଟକରେ ପୁରୀଘାଟ ସ୍ଥିତ ଘରୋଇ ନର୍ସିଂହୋମରେ ଭୟାବହ ଅଗ୍ନିକାଣ୍ଡ। ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଏହି ଅଘଟଣର ତଦନ୍ତ କରିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପୁରୀଘାଟ ନିକଟରେ ଥିବା ରାଧାରମଣ ହସ୍ପିଟାଲର ତୃତୀୟ ମହଲାରେ ଲାଗିଥିଲା ନିଆଁ। ସଟସର୍କିଟରୁ ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ପରେ ତୁରନ୍ତ ସଂପୃକ୍ତ ମହଲାରେ ଥିବା ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା। ସୂଚନା ଅନୁସାରେ, ଅପରାହ୍ନରେ ହଠାତ୍ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ। ଫାୟାର ଲିଫ୍ଟ ମାଧ୍ୟମରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା।
ତେବେ ଅଗ୍ନିକାଣ୍ଡ ପରେ କିଛି ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି । ପରିବାର ଲୋକ ଏବଂ କିଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ରୋଗୀମାନେ ଷ୍ଟ୍ରେଚର ଜରିଆରେ ତଳକୁ ଆସିଥିଲେ। ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପରିବାର ଲୋକେ ପ୍ରୟାସ କରୁଥିଲେ । କିନ୍ତୁ ଗଳି କନ୍ଦି ରାସ୍ତା ସାଙ୍ଗକୁ ହସ୍ପିଟାଲରେ ନିଆଁ ଲାଗିବା ପରେ ଲୋକଙ୍କ ଗହଳି ଆମ୍ବୁଲାନ୍ସକୁ ରୋଗୀଙ୍କ ପାଖରେ ପହଞ୍ଚାଇବାରେ ବିଳମ୍ୱ କରିଦେଇଥିଲା । ଯେଉଁଥିପାଇଁ ଅନେକ ରୋଗୀଙ୍କ ପରିବାର ଲୋକେ ଅସ୍ତବ୍ୟସ୍ତ ହୋଇଯାଇଥିଲେ । ସ୍ଥିତି ଯଦିଓ ଆହ୍ବାନପୂର୍ଣ୍ଣ ରହିଥିଲା କିନ୍ତୁ ଅଗ୍ନିଶମ ବାହିନୀ ଟିମର ତତ୍ପରତା ସ୍ଥିତିକୁ ସ୍ୱାଭାବିକ ଆଡକୁ ଆଣିଥିଲା। ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରି ଅଗ୍ନିଶମ ବାହିନୀ ଟିମ ହସ୍ପିଟାଲ ଭିତରୁ ରୋଗୀଙ୍କୁ ଉଦ୍ଧାର କରିଛନ୍ତି। ଶେଷ ଖବର ସୁଦ୍ଧା ୯ ରୋଗୀଙ୍କୁ ଏବେ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।